News by Rajendra Pradhan (Cuttack)

ମଦ ନିଶାରେ ବରଯାତ୍ରୀଙ୍କ ଉନ୍ମୁକ୍ତ କାଣ୍ଡ: ବ୍ୟବସାୟୀଙ୍କ ସହ ପୁଲିସ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୯ଗିରଫ

News by Rajendra Pradhan (Cuttack)

#କଟକ(ଏନ୍‌.ଏମ୍‌.): ବିବାହ ଉତ୍ସବ ପାଇଁ ଶୋଭାଯାତ୍ରାରେ ଯାଉଥିବା ବରଯାତ୍ରୀ ମଦ୍ୟପାନ କରିବା ମହଙ୍ଗା ପଡ଼ିଛି । ମଦ ନିଶାରେ କିଛି ବରଯାତ୍ରୀ ଜଣେ ବ୍ୟବସାୟୀଙ୍କୁ ମରଣାନ୍ତ ଆକ୍ରମଣ କରିବା ସହ ପୁଲିସ କର୍ମଚାରୀଙ୍କୁ ଛୁରୀ ଭୁଷିବା ଭଳି କାଣ୍ଡ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ବାଦାମବାଡ଼ି ଥାନା ପୁଲିସ କେଶ ନମ୍ବର ୩୦/୨୦୨୩ ରୁଜ୍ଜୁ କରି ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପ୍ରସ୍ଥାନ ଫାଟକ ନିକଟରେ ୮ରୁ ୧୦ଜଣ ବରଯାତ୍ରୀ ରାସ୍ତା ଉପରେ ଭିଡ ଜମାଇଥିଲେ । ଏହି ସମୟରେ ସେଠାରେ ବ୍ୟବସାୟ କରୁଥିବା ବାଦାମବାଡ଼ି ତଳସାହି ଶଙ୍କରପୁରର ଦୋକାନୀ ସାନ୍ତନୁ ବାରିକ(୩୫) ଯିବା ବେଳେ ଏମାନେ ବାଟ ଛାଡ଼ିନଥିଲେ । ତେବେ ଶ୍ରୀ ବାରିକ ସାଇଟ ଦେବାକୁ କହିବାରୁ ସେମାନଙ୍କ ମଧ୍ୟରୁ କିଛି ମଦନିଶାରେ ଉତ୍ତେଜିତ ହୋଇ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ । ତେବେ ସେଠାରେ ଗଣ୍ଡଗୋଳ ହେବା ଜାଣିବା ପରେ ପୁଲିସ କନେଷ୍ଟବଳ ଦିଲ୍ଲୀପ କୁମାର ଭୋଳ ଘଟଣାସ୍ଥଳରେ ପହଞ୍ôଚ ବୁଝାସୁଝା କରିବା ବେଳେ ସେହି ମଦ୍ୟପମାନଙ୍କ ଆକ୍ରମଣର ଶିକାର ହୋଇଥିଲେ । ସେମାନଙ୍କ ମଧ୍ୟରୁ କେହି ଜଣେ କନେଷ୍ଟବଳ ଶ୍ରୀ ଭୋଳଙ୍କ ଛାତିରେ ଏକ ଛୁରୀ ଭୁଷି ଦେଇଥିଲେ । ଫଳରେ ଶ୍ରୀ ଭୋଳ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସିଟି ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଶ୍ରୀ ବାରିକଙ୍କ ଅଭିଯୋଗ ଅନୁଯାୟୀ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ମାତ୍ର ଘଟଣା ଘଟାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ପୁଲିସ ଭାରତୀୟ ପିଙ୍ଗଳକୋର୍ଟ ୩୪୧/୨୯୪/୩୨୩/୩୨୪/୩୦୭/୫୦୫/୩୪ ଦଫା ଲଗାଇ ଅଭିଯୁକ୍ତ ମାନଙ୍କୁ ଖୋଜିବାବେଳେ ୧୧ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ଆଜି ସେମାନଙ୍କ ମଧ୍ୟରୁ ୯ଜଣଙ୍କୁ ଗିରଫ କରିବାରେ ବାଦାମବାଡ଼ି ପୁଲିସ ସଫଳ ହୋଇଛି । ତେବେ ଏହି ଅଭିଯୁକ୍ତମାନଙ୍କ ମଧ୍ୟରେ ଜଗତପୁର ଅନ୍ଧାରୀ ଗ୍ରାମର ଶଙ୍କରନାଥ ସାହୁ(୨୯), ମାଲଗୋଦାମ ଥାନା ଅନ୍ତର୍ଗତ ଯୋବ୍ରା ସମାଧିପାଟଣାର ଗୌରବ ସାହୁ(୩୩), ବିଶ୍ୱରଞ୍ଜନ ରାଉତ(୩୦),ଅମରନାଥ ରାଉତ(୩୦)କଲେଜଛକ ପାଟରା ସାହିର ପ୍ରସନ୍ନ କୁମାର ସାହୁ(୩୩), ମଣ୍ଟୁ ମହାରଣା(୩୨), ଦୀପକ କୁମାର ସାହୁ(୩୨), ସୋମ୍ୟରଞ୍ଜନ ସାହୁ(୧୮), ଶିବୁ ସାମଲ(୨୧) ବୋଲି ଜଣାପଡ଼ିଛି । ସେମାନଙ୍କ ପାଖରୁ ୧୦ଟି ମୋବାଇଲ ଜବତ କରାଯାଇଥିବା ବାଦାମବାଡ଼ି ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *