ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଉନ୍ନତ ଜ୍ଞାନକୌଶଳ ବ୍ୟବହାର ଦ୍ୱାରା ଉତ୍ପାଦନ ଖର୍ଚ୍ଚ ହ୍ରାସ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

#ଭୁବନେଶ୍ୱର(ଏନ୍.ଏମ୍.): ଚାଷୀମାନଙ୍କର ଆୟବୃଦ୍ଧି ଓ ଆର୍ôଥକ ବିକାଶ ଦିଗରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ସମସ୍ତ ଯୋଜନାର ସଫଳ ରୂପାୟନ ଦିଗରେ ବିଭାଗୀୟ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବାକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ବିଶଦ ଭାବେ ସମୀକ୍ଷା କରି କହଲେ ଯେ, ରାଜ୍ୟ ସରକାର ଚାଷୀମାନଙ୍କ ଆୟ ବୃଦ୍ଧିର ଲକ୍ଷ୍ୟ ରଖିଥିବାବେଳେ ଯୋଜନାଗୁଡ଼ିକ ଧାର୍ଯ୍ୟ ସମୟରେ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରିଲେ ଉତ୍ପାଦନ ବଢ଼ିବା ସହିତ ଚାଷୀମାନଙ୍କର ରୋଜଗାର ବୃଦ୍ଧି ପାଇବ । ଉନ୍ନତ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିବା ସହିତ ଜିଲ୍ଲା ନୋଡାଲ ଅଧିକାରୀ ଏବଂ ସ୍କିମ୍ ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି ଯୋଜନାର ସଫଳ ରୂପାୟନ ଦିଗରେ ତଦାରଖ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ବାୟୋଫ୍ଲକ୍ ଏବଂ ରାସ ପଦ୍ଧତି ଆଦି ନୂତନ ପଦ୍ଧତିରେ ମାଛଚାଷ ଦ୍ୱାରା ବହୁଳ ସଫଳତା ମିଳୁଥିବା ଦୃଷ୍ଟିରୁ କ୍ଷେତ୍ର ଅଧିକାରୀଙ୍କୁ ଏ ସମ୍ପର୍କରେ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି ବୋଲି ସେ ପରାମର୍ଶ ଦେଇଥିଲେ । ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ବଜାୟ ରଖିବା ସହ କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରିବା ନିମନ୍ତେ ଗୋ-ସୁଗମ ପୋର୍ଟାଲର ପ୍ରଚଳନ କରାଯାଇଥିବାବେଳେ ଏହାକୁ ତ୍ରୁଟିଶୂନ୍ୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକର ସୂଚନା ଅନୁଯାୟୀ ରାଜ୍ୟରେ ୨୦୨୨-୨୩ ବର୍ଷରେ ଅଦ୍ୟାବଧି ୩୦୩୫ଟି ବାୟୋଫ୍ଲକ୍ ଟ୍ୟାଙ୍କ ପ୍ରତିଷ୍ଠା କରାଯାଇଛି । ସେହିପରି ୪୨୮୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ୩୯୫୦ ହେକ୍ଟର ଗ୍ରାମପଞ୍ଚାୟତ ପୋଖରୀରେ ମାଛ ଚାଷ କରାଯାଇଛି । ଏଥି ସହି ଫ୍ଲାଗ୍ସିପ୍ ଯୋଜନାଗୁଡ଼ିକୁ ଅଧିକ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରିବା ପାଇଁ ମାର୍ଗଦର୍ଶିକାରେ ଆବଶ୍ୟକ ସଂଶୋଧନ କରାଯାଇଛି । ଏତଦ୍ବ୍ୟତୀତ ବୈଠକରେ ମତ୍ସ୍ୟ ପୋଖରୀ ଯୋଜନା, ଫାର୍ମପଣ୍ଡରେ ମାଛଚାଷ କରୁଥିବା ଚାଷୀଙ୍କୁ ଇନ୍ପୁଟ୍ ସହାୟତା ଏବଂ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଆଦି ବିଷୟରେ ସମୀକ୍ଷା ହୋଇଥିଲା । ଏଥି ସହିତ ବୈଠକରେ ପ୍ରାଣୀସଂପଦ ବିକାଶ ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ଅଗ୍ରଗତି ସଂପର୍କରେ ସମୀକ୍ଷା ହୋଇଥିଲା । ଘର ଅଗଣା କୁକୁଡ଼ା ପାଳନ ମାଧ୍ୟମରେ ରାଜ୍ୟର ରକ୍ତହୀନତା ଓ ଅପପୁଷ୍ଟି ପ୍ରଭାବିତ ପରିବାର ବର୍ଗଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏଥି ସହିତ ବୈଠକରେ ଡିପ ଲିଟର ପଦ୍ଧତିରେ ୫୦୦ ବ୍ରଏଲର କୁକୁଡ଼ା ପାଳନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ୧୦୦୦ ବ୍ରଏଲର କୁକୁଡ଼ା ପାଳନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଛେଳି ପାଳନ ଆଦି ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଳା ବିଜୟ, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର ସିଡ଼ିଭିଓ, ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।