ଭୟରପୁରରେ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳା
ଜଗତପୁର(ଏନ୍.ଏମ୍.): ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଏକ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ମୁତାରିଫା ପଞ୍ଚାୟତସ୍ଥିତ ଭୟରପୁର ଯାତ୍ରା ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ କୁମାର ପ୍ରଧାନଙ୍କ ପୌରହିତରେ ମୁଖ୍ୟଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଅନୁଷ୍ଠିତ ସ୍ୱାସ୍ଥ୍ୟ ମେଳାକୁ ଉଦଘାଟନ କରିଥିଲେ ।ଏହି ଅବସରରେ ଏକ ସାଧାରଣସଭା ଆୟୋଜନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ ଓ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ବିଶ୍ୱାଳ, ୪୪ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସେଠୀ, ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ବିଡିଓ ରାଜୀବ ଦାସ, ସରପଞ୍ଚ ରୁକିୟା ପରୱିନ, ସମିତି ସଭ୍ୟା ସସ୍ମିତା ମହାପାତ୍ର ଓ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ବୈଶାଖ ପ୍ରମୁଖ ସଭାରେ ମଞ୍ଚାସୀନ ଥିଲେ । ସ୍ୱାସ୍ଥ୍ୟ ହିଁ ସମ୍ପଦ : ଶରୀର ସୁସ୍ଥ ରହିଲେ ସାଧାରଣ ଲୋକଟି ମାନସିକ ସ୍ତରରେ ସୁସ୍ଥ ରହିଥାଏ ବୋଲି ବିଧାୟକ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ବିଧାୟକ ଶ୍ରୀ ବେହେରା ନିଜେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଅନ୍ୟ ମାନଙ୍କୁ ସ୍ୱାସ୍ଥ୍ୟ ପ୍ରତି ଜତ୍ନ ରଖିବା ପାଇଁ କହିଥିଲେ । ସାଲେପୁର ବ୍ଲକର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱଲୋକ ଏହି ମେଳାରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବାବେଳେ ସେମାନଙ୍କୁ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ପ୍ରତି ବର୍ଷ ସାଲେପୁର ନିର୍ବାଚନ ମଣ୍ଡଳୀରେ ଏହିପରି ସ୍ୱାସ୍ଥ୍ୟ ମେଳା କରାଯାଇଥାଏ । କିନ୍ତୁ ମହାମାରୀ କରୋନା ଯୋଗୁ ଗତ ଦୁଇ ବର୍ଷ ହେବ ଏହିଭଳି ସ୍ୱାସ୍ଥ୍ୟ ମେଳା ହେଇପାିନଥିଲା । ଆୟୁଷ ମେଡିକାଲର ଅଭଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଚର୍ମରୋଗ ଠାରୁ ଆରମ୍ଭ କରି ଦନ୍ତ, ସ୍ତ୍ରୀ ରୋଗ, ଶିଶୁରୋଗ, କର୍ଣ୍ଣ , ନାଶା ଭଳି ରୋଗରେ ପୀଡିତମାନଙ୍କୁ ଏହି ମେଳାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କେବଳ ଏଲୋପାତି ନୂହେଁ ଆୟୁରବେଦ ଓ ହୋମିଓପାତିର ଡାକ୍ତର ମାନେ ରୋଗୀମାନଙ୍କୁ ସମସ୍ୟା ବୁଝି ଔଷଧ ବିତରଣ କରିଥିଲେ । ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର, କର୍ମଚାରୀଙ୍କ ସମେତ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ଉକ୍ତ ମେଳା ପରିଚାଳନାରେ ସହଯୋଗ କରିଥିଲେ ।