ଭୁଷୁଡ଼ୁଛି ଶିକ୍ଷା ବ୍ୟବସ୍ଥା: ଶିକ୍ଷକ ଅଭାବ ନେଇ କୁହୁଳୁଛି ଅସନ୍ତୋଷ
ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ସମ୍ପ୍ରତି ଶିକ୍ଷାର ଉନ୍ନତି ପାଇଁ ସରକାର ଯଥେଷ୍ଟ ଯୋଜନା ଆରମ୍ଭ କରିଥିବାବେଳେ ଉପଯୁକ୍ତ ସମନ୍ୱୟର ଅଭାବ ଯୋଗୁଁ ଏହି ବ୍ୟବସ୍ଥା ଧିରେ ଧିରେ ଭୁଷୁଡିବାରେ ଲାଗିଛି । ଗୋଟିଏ ପଟେ ରାଜ୍ୟସରକାର ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବା ସହ ଛାତ୍ରଛାତ୍ରୀ ପଢ଼ିବା ଉପରେ ଗୁରୁତ୍ୱ ଦେବାକୁ ଆକର୍ଷଣୀୟ ଯୋଜନା ଚଳାଇଛନ୍ତି । ମଧ୍ୟାହ୍ନ ଭୋଜନ, ଭୟମୁକ୍ତ ବା ଦଣ୍ଡମୁକ୍ତ ଅଞ୍ଚଳ, ଖେଳକୁଦରେ ପାଠପଢ଼ା ଭଳି ବ୍ୟବସ୍ଥା ଲାଗୁ କରାଯାଇଛି । ପୁନଶ୍ଚ ଉନ୍ନତ ଶିକ୍ଷା ପ୍ରଦାନ ନିମନ୍ତେ ପ୍ରତି ୩୦ଜଣ ଛାତ୍ରଛାତ୍ରୀରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି । ମାତ୍ର ଏବେ ଅନେକ ସରକାରୀ ଶିକ୍ଷାନୁଷ୍ଠାନରେ ଆବଶ୍ୟକୀୟ ଶିକ୍ଷକ ନଥିବା ଯୋଗୁଁ ଶିକ୍ଷାଦାନରେ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ଫଳରେ ବହୁ ଅଭିଭାବକ ସରକାରୀ ସ୍କୁଲରେ ସେମାନଙ୍କ ପିଲାଙ୍କୁ ଶିକ୍ଷାପ୍ରାପ୍ତ କରାଇବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଲପଡ଼ା ପଞ୍ଚାୟତର ସିମିଳିହାଣ୍ଡ ଅଞ୍ଚଳରେ । ଏଠାରେ ଦୁଇଟି ବିଦ୍ୟାଳୟ ଥିବାବେଳେ ଶିକ୍ଷକଙ୍କ ଅଭାବ ରହିଥିବା ଅଞ୍ଚଳବାସୀ ଅଭିଯୋଗ ଉଠାଇଛନ୍ତି । ଗାନ୍ଧିଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଥିବାବେଳେ ପ୍ରାୟ ୧୮୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଠାରେ ୬ ଜଣ ଶିକ୍ଷକ ରହିଛନ୍ତି । ଏହି ସ୍କୁଲରେ ବର୍ତ୍ତମାନ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବାବେଳେ ଜଣେ ଶିକ୍ଷକଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ତୁଲାଇବାକୁ ପଡ଼ୁଛି । ସେହିପରି ମାତୃସେବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ପାଖାପାଖି ୧୨୫ ପିଲା ଅଧ୍ୟୟନ ରହିଛନ୍ତି । ଏଠାରେ ମାତ୍ର ତିନି ଜଣ ଶିକ୍ଷକ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳିଛି । ଫଳରେ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ଶିକ୍ଷା ସୁବିଧା ମିଳିପାରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେଣୁ ଏହି ଶିକ୍ଷାନୁଷ୍ଠାନରେ ତୁରନ୍ତ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ନିମନ୍ତେ ସ୍ଥାନୀୟ ସରପଞ୍ଚ ଶୈଳବାଳା ନାୟକ ଦାବି କରିଛନ୍ତି ।