ଭୁବନେଶ୍ୱରର ଅନ୍ୟତମ ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ ମନ୍ଦିର
ଉନ୍ନୟନ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,ଖର୍ଚ୍ଚ ହେବ ୨୫ କୋଟି
#ଭୁବନେଶ୍ୱର(ଏନ୍.ଏମ୍.): ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ୱର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ । ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ ଏବଂ ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମାଷ୍ଟରପ୍ଲାନକୁ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ଏହାର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ ଯୋଜନାକୁ ପରିବେଶ ଉପଯୋଗୀ କରିବାପାଇଁ ସେ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ବୈଠକରେ ବିଡିଏର ଉପାଧ୍ୟକ୍ଷ ବଲବନ୍ତ ସିଂହ ଏଥିପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନ ସମ୍ପର୍କରେ ଏକ ଉପସ୍ଥାପନା ରଖିଥିଲେ । ଏହି ଯୋଜନା ଅନୁଯାୟୀ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ୫୩.୬୪ ଏକର ଜମିରେ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ । ବିଡିଏ ଏହି ଉନ୍ନୟନ କାର୍ଯ୍ୟ କରିବା ସହିତ ଆଗକୁ ମଧ୍ୟ ଏହି ଅଞ୍ଚଳର ପରିଚାଳନା ଦାୟିତ୍ୱ ଗ୍ରହଣ କରିବ । ମାଷ୍ଟରପ୍ଲାନ ଅନୁଯାୟୀ ସମୁଦାୟ ଅଞ୍ଚଳକୁ ୪ଟି ଜୋନ୍ରେ ବିଭକ୍ତ କରାଯାଇଛି । ଜୋନ୍-୧ରେ ପାର୍କିଂ, ସାଧାରଣ ଲୋକଙ୍କ କ୍ରୀଡା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥାନର ଉନ୍ନତିକରଣ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ । ଜୋନ୍-୨ରେ ଭିୟୁ ପଏଣ୍ଟ ଓ ଟ୍ରେକିଂ ରୁଟ ରହିବ । ଜୋନ-୩ ଓ ୪ ରେ ମନୋରଞ୍ଜନ ମୂଳକ କାର୍ଯ୍ୟପାଇଁ ଭିତ୍ତିଭୂମି, କମ୍ୟୁନିଟି ସେଣ୍ଟର, ମୁଖ୍ୟ ମନ୍ଦିରର ଉନ୍ନତିକରଣ, ଦୋକାନ ଗୃହ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଏହି ବୈଠକ ପରିଚାଳନା କରିଥିଲେ । ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଶିଖରଚଣ୍ଡୀ ଆଞ୍ଚଳିକ ସେବା ସଂଘର ସଭାପତି କ୍ଷୀତିଶ ତ୍ରିପାଠୀ ଓ ମନ୍ଦିର ପୂଜକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ ଶିଖରଚଣ୍ଡୀ ମନ୍ଦିରର ଉନ୍ନୟନ ସ୍ଥାନୀୟ ଜନତାଙ୍କର ବହୁ ଦିନର ଆଶା ଥିଲା । ମୁଖ୍ୟମନ୍ତ୍ରୀ ତାକୁ ପୂରଣ କରିଛନ୍ତି । ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । ବୈଠକରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ପ୍ରମୁଖ ସଚିବମାନେ ଯୋଗ ଦେଇଥିଲେ ।