ଭିଜିଲାନ୍ସ ଜାଲରେ କୋଟି ପତି ଅତିରିକ୍ତ ଉପଜିଲ୍ଲାପାଳ: ପଡ଼ୋଶୀଙ୍କ ଛାତରୁ ମିଳିଲା ୨କୋଟିରୁ ଉର୍ଦ୍ଧ୍ୱ
![](https://nishkarsha.com/wp-content/uploads/2023/06/Vigil-300x169.jpg)
#ଭୁବନେଶ୍ୱର/ନବରଙ୍ଗପୁର(ଏନ୍.ଏମ୍.): କୋଟି ପତି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଏବେ ଭିଜିଲାନ୍ସ ଜାଲରେ । କୋଟି କୋଟି ଟଙ୍କା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଭିଜିଲାନ୍ସର ୯ଟି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି । ତେବେ ଚଢ଼ାଉବେଳେ ଯେଉଁ ସମ୍ପତ୍ତି ଜବତ ହୋଇଛି ତାହା ଶୁଣିଲେ ଆଖି ଖୋସି ହୋଇ ଯିବ । ଏହି ଚଢ଼ାଉ ବେଳେ ପ୍ରଶାନ୍ତଙ୍କ ପଡ଼ୋଶୀଙ୍କ ଛାତରୁ ୨ କୋଟିରୁ ଅଧିକ ଟଙ୍କା ମିଳିଛି । ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ବି ତାଜୁବ ହୋଇଯାଇଛି । ଭୁବନେଶ୍ୱର କାନନବିହାର ସ୍ଥିତ ଘରେ ଚଢ଼ାଉ ବେଳେ ପଡ଼ୋଶୀ ଘର ଛାତରୁ ୫୦୦ ଟଙ୍କିଆ ଭର୍ତ୍ତି ୬ଟି ପେଟି ଟଙ୍କା ଜବତ କରିଛି ଭିଜିଲାନ୍ସ । ପ୍ରଶାନ୍ତ ପଡ଼ୋଶୀଙ୍କ ଛାତରୁ ଟଙ୍କା ମିଳିବା ପରେ ଭିଜିଲାନ୍ସ ଅଧିକାରୀ ତାଙ୍କ ଘରେ ଚଢ଼ାଉ କରିଛନ୍ତି । ଏହାସହ ପଡ଼ୋଶୀଙ୍କୁ ଟଙ୍କା ବାବଦରେ ପଚରାଉଚରା କରୁଛନ୍ତି । ଆଜି ସକାଳେ ଭିଜିଲାନ୍ସ ପ୍ରଶାନ୍ତଙ୍କ ଭୁବନେଶ୍ୱର କାନନବିହାର ସ୍ଥିତ ଘରେ ଚଢ଼ାଉ ବେଳେ କେହି ଜଣେ ପଡ଼ୋଶୀଙ୍କ ଛାତକୁ ପେଟିରେ କ’ଣ ଫୋପାଡ଼ି ଦେଉଥିବା ଭିଜିଲାନ୍ସ ଅଧିକାରୀ ଦେଖିଥିଲେ । ପରେ ଭିଜିଲାନ୍ସ ଅଧିକାରୀ ଛାତ ଉପରେ ପହଞ୍ଚି ଏହି ଟଙ୍କା ପେଟି ଗୁଡ଼ିକୁ ଜବତ କରିଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ, ଭଦ୍ରକ ସ୍ଥିତ ପୈତୃକ ଘର, ଭୁବନେଶ୍ୱର ସ୍ଥିତ କାନନ ବିହାର ଘର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ହୋଇଛନ୍ତି । ସୂଚନାଯୋଗ୍ୟ, ପ୍ରଶାନ୍ତ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ । ଏହି ସମୟରେ କୌଣସି କାମ ପାଇଁ ବିରିପାଣି ପଞ୍ଚାୟତର ଜଣେ ଅଧିକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ । ତେଣୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ।