ଭିଜିଲାନ୍ସ ଜାଲରେ କୋଟିପତି ପ୍ରାଣୀଧନ ନିରୀକ୍ଷକ
କଟକ (ଏନ୍.ଏମ୍.): ଭିଜିଲାନ୍ସ ଜାଲରେ କୋଟିପତି ପ୍ରାଣୀଧନ ନିରୀକ୍ଷକ । ଭୁବନେଶ୍ୱର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ପାଖାପାଖି ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଚଢାଉ ବେଳେ ୫୦୦ଗ୍ରାମ ସୁନା, ୨୫୦ ଗ୍ରାମର ଚାନ୍ଦି ଓ ୧୦ ଗ୍ରାମରୁ ଅଧିକ ହୀରା ଜବତ ହୋଇଥିବା ସୂଚନା ମିଳିଛି । ଏଥିସହିତ ୩୯.୪୮ଲକ୍ଷ ଟଙ୍କାର ବୀମା ପଲିସ ମଧ୍ୟ ଥିବା ଜଣାପଡ଼ିଛି । ତେବେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରୁଛି । ସେହିପରି କଟକ ଓ ଭୁବନେଶ୍ୱରରେ ୯୦ଟି ପ୍ଲଟ୍ ଥିବାର ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ରାଉତଙ୍କ ଘରେ ଭିଜିଲାନ୍ସର ଚଢାଉ ଚାଲିଛି । ଭୁବନେଶ୍ୱରରେ ତାଙ୍କ ନାମରେ ୪ଟି ବିଲ୍ଡିଂ ଓ ୩ଟି ଫ୍ଲାଟ୍ ରହିଛି । ପୁନଶ୍ଚ ୭ଲକ୍ଷ ୯୭ହଜାର ଟଙ୍କା ମୂଲ୍ୟର ଏକ ମାରୁତି ସ୍ୱିପ୍ଟି କାର ସହ ଦାମୀ ବାଇକ ମଧ୍ୟ ଥିବା ଜଣାପଡ଼ିଛି । ଏଥି ସହିତ କଟକରେ ଗୋଟିଏ ଆଉଟ୍ ହାଉସ୍ ଠାବ କରାଯାଇଛି । ଜଗନ୍ନାଥ ରାଉତଙ୍କ ରଘୁନାଥପୁରରେ ଥିବା ରୟାଲ ଲାଗୁନ ଆପାର୍ଟମେଣ୍ଟରେ ଥିବା ଘର, ରଘୁନାଥପୁର ଗାଁରେ ଥିବା ଦୁଇଟି ତିନି ମହଲା ଘର, ଅନ୍ୟ ଏକ ଦୁଇ ମହଲା ଘର, ଗାଁ ପୋଖରୀ ନିକଟରେ ଥିବା ଏକ ମହଲା କୋଠାରେ ଚଢାଉ କରାଯାଉଛି । ଗ୍ରୀନ୍ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ଭୁବନେଶ୍ୱର କଳାରାହାଙ୍ଗରେ ଥିବା ଅଫିସରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ରେଡ୍ କରାଯାଉଛି । ଚଢାଉରେ ୫ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।