ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲ: ସମତ୍ତିର ଲମ୍ବା ଚିଠା ଦେଖି ଚଢ଼ାଉରେ ସାମିଲ ଅଧିକାରୀ ତାଜୁବ
ଭୁବନେଶ୍ୱର(ଏନ୍.ଏମ୍.): ବେଆଇନ ଭାବେ ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏବେ ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ବିଭିନ୍ନ ସ୍ଥାନରେ ଥିବା ଆପାଟମେଣ୍ଟର ସହିତ ରହିଛି ସୁଉଚ୍ଚ ଅଟ୍ଟାଳିକା । ରାଜଧାନୀ ଭୁବନେଶ୍ୱରରେ ୪ଟି ଜାଗାରେ ରହିଛି ସୁଉଚ୍ଚ ଅଟ୍ଟାଳିକା । ତେବେ ବେଆଇନ ଭାବେ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ଏକାଥରେ ପ୍ରତାପଙ୍କର ୧୨ଟି ଜାଗାରେ ଥିବା ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏପରିକି ଭିଜିଲାନ୍ସକୁ ଦେଖି ପୁଳା ପୁଳା ଟଙ୍କା ମଧ୍ୟ ସେ ବାହାରକୁ ଫୋପାଡ଼ି ଦେଇଛନ୍ତି । ଆଇଆରସି ଭିଲେଜର ୪୧୬ ନମ୍ବର ଘର ରେଡ୍ ବେଳେ ଏକ ପେଟିରେ ଭର୍ତ୍ତି ପ୍ରାୟ ୩୮ ଲକ୍ଷ ଟଙ୍କା ବାବୁ ପାଖ ଛାତକୁ ଫୋପାଡ଼ି ଦେଇଥିଲେ । ସନ୍ଦେହ ହେବାରୁ ଭିଜିଲାନ୍ସ ଅଧିକାରୀ ପାଖ ଛାତକୁ ଯାଇ ପେଟି ଭର୍ତ୍ତି ଟଙ୍କା ଜବତ କରିଛନ୍ତି ।
ସୂଚନାଯୋଗ୍ୟ, ଓଡ଼ିଶା ପୋଲିସ୍ ହାଉସିଂ କର୍ପୋରେସନ୍ ଡେପୁଟି ମ୍ୟାନେଜରଙ୍କ ଘରେ ଆଜି ସକାଳୁ ସକାଳୁ ଚାଲିଛି ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ବାବୁଙ୍କର ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ୬ତାଲା ବିଶିଷ୍ଟ ଘରେ, ଖଣ୍ଡଗିରି ସରକନ୍ତରାର ଭଡ଼ା ଘର, ଜୟଦେବ ବିହାର ନରେନ୍ଦ୍ର ଭିଲ୍ଲାରେ ରେଡ୍ ଚାଲିଛି । ଏହାବାଦ ଭଦ୍ରକ ବାଲିସାହିର ୩ ମହଲା ବିଲ୍ଡିଂ, ବାଲେଶ୍ୱର ସିମୁଳିଆସ୍ଥିତ ନିଜ ଘର, ସିମୁଳିଆ ହରିପୁରର ସମ୍ପର୍କୀୟଙ୍କ ଘର ଏବଂ ଓପିଏଚଡବ୍ଲୁସି କାର୍ଯ୍ୟାଳୟରେ ଏକକାଳୀନ ରେଡ୍ ଚାଲିଛି । ଏହାପରେ ୧୦ଟି ସ୍ଥାନରେ ରେଡ୍ ଚାଲିଥିବା ବେଳେ ଆଉ ୨ଟି ସମ୍ପତ୍ତିର ସନ୍ଧାନ ମିଳିଛି । ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଏକ ୫ ମହଲା କୋଠାର ସନ୍ଧାନ ମିଳିଥିବା ବେଳେ ଆଇଆରସି ଭିଲେଜର ଏନ୍-୬ରେ ଆଉ ଏକ ୪ ମହଲା କୋଠାର ସନ୍ଧାନ ମିଳିଛି । ପ୍ରତାପ ସାମଲ ୧୯୮୭ ମସିହାରେ ଡିପ୍ଲୋମା ସିଭିଲ ପଢ଼ିଥିଲେ । ୧୯୮୮ ମସିହାରେ ସିଭିଲ ଜୁନିଅର ଇଞ୍ଜିନିଅର ଭାବେ ପୁଲିସ ହାଉସିଂ କର୍ପୋରେସନରେ ନିଯୁକ୍ତି ପାଇଥିଲେ । ୧୯୯୫ ପର୍ଯ୍ୟନ୍ତ ଇଷ୍ଟିମେଟର ଭାବେ କଟକ ଓ ଦେବଗଡ଼ ଜିଲ୍ଲାରେ କାମ ମଧ୍ୟ କରିଛନ୍ତି ଏହାପରେ ୨୦୧୩ରେ ଡେପୁଟି ମ୍ୟାନେଜର ଭାବେ ପ୍ରମୋସନ ପାଇଲେ । ଡେପୁଟି ମ୍ୟାନେଜର ଭାବେ ରାଉରକେଲା, ବଲାଙ୍ଗିର, କେନ୍ଦୁଝର, କଟକରେ କାମ କରିଛନ୍ତି । ଏହାପରେ ୨୦୧୯ରେ ଭୁବନେଶ୍ୱରରେ ଯୋଗଦେଲେ । ପୁଲିସ ହାଉସିଂ କର୍ପୋରେସନରେ ବିଭିନ୍ନ ବିଲ୍ଡିଂ କନଷ୍ଟ୍ରକସନ୍ କାମ ଚାଲୁଥିବା ବେଳେ ସେ ଏହାର ଦାୟିତ୍ୱରେ ଥିଲେ । ହେଲେ ସେ ଏତେ ଟଙ୍କା କିପରି ଠୁଳ କଲେ, ଏଥିରେ ଆଉ କେଉଁ କେଉଁ ଅଧିକାରୀ ସାମିଲ ଅଛନ୍ତି ସେ ନେଇ କିଛି ସୂଚନା ମିଳିନି । ଏହାପରେ ତାଙ୍କର ଆଉ କେଉଁଠି କେତେ ସମ୍ପତ୍ତି ରହିଛି ଓ କେତେ ଥର ବିଦେଶ ଗସ୍ତ କରିଛନ୍ତି ସେ ନେଇ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ଜାରି ରହିଛି ।