ଭାରତ ନିର୍ବାଚନ ଆୟୋଗଙ୍କ ନୂଆ ଯୋଜନା: ଘରୋଇ ପ୍ରବାସୀ ଭୋଟରମାନେ ନିଜ ସ୍ଥାନରେ ଦେବେ ଭୋଟ

#ଭୁବନେଶ୍ୱର(ଏନ୍.ଏମ୍.): ନିର୍ବାଚନ ସମୟର ଘରୋଇ ପ୍ରବାସୀ ଭୋଟରମାନଙ୍କ ମତଦାନ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଏକ ସୁବ୍ୟବସ୍ଥିତ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି । ଘରୋଇ ପ୍ରବାସୀ ଭୋଟରମାନେ ଶିକ୍ଷା, ରୋଜଗାର ଏବଂ ଅନ୍ୟାନ୍ୟ କାରଣରୁ ନିଜ ନିର୍ବାଚନ ମଣ୍ଡଳୀ ବାହାରେ ରହୁଥିବାରୁ ସାଧାରଣ ନିର୍ବାଚନ କିମ୍ବା ଉପନିର୍ବାଚନ ସମୟରେ ନିଜ ସାମ୍ବିଧାନିକ ଅଧିକାର ମତଦାନ କାର୍ଯ୍ୟରୁ ବିଭିନ୍ନ କାରଣରୁ ବିରତ ରହୁଛନ୍ତି । ଏହା ଫଳରେ ସାରା ଦେଶରେ ମତଦାନ ହାର କ୍ରମଶଃ ହ୍ରାସ ପାଉଛି । ଏହାକୁ ବିଚାରକୁ ନେଇ ନିର୍ବାଚନ ଆୟୋଗ ଘରୋଇ ପ୍ରବାସୀ ଭୋଟରମାନଙ୍କ ନିମନ୍ତେ ପ୍ରୋଟୋଟାଇପ୍ ରିମୋଟ୍ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ (ଆରଭିଏମ୍) ବିକଶିତ କରିଛନ୍ତି । ଯାହାଫଳରେ ଘରୋଇ ପ୍ରବାସୀ ଭୋଟରମାନେ ନିଜ କର୍ମସ୍ଥଳୀରେ ଉପସ୍ଥିତ ରହି ଭୋଟ ଦେଇପାରିବେ ଓ ସେମାନଙ୍କୁ ଆଉ ନିଜ ରାଜ୍ୟକୁ ଫେରି ଭୋଟଦେବାକୁ ପଡ଼ିବ ନାହିଁ ।
ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଗତ ୨୦୧୯ ସାଧାରଣ ନିର୍ବାଚନରେ ମତଦାନ ହାର ୬୭.୪% ଥିଲା ଏବଂ ଦେଶରେ ୩୦କୋଟିରୁ ଊର୍ଦ୍ଧ୍ୱ ଭୋଟର ସେମାନଙ୍କର ମତଦାନ କରିନଥିଲେ । ବିଭିନ୍ନ କାରଣରୁ ଉକ୍ତ ଭୋଟରମାନେ ୨୦୧୯ ସାଧାରଣ ନିର୍ବାଚନରେ ମତଦାନ କରିପାରି ନଥିଲେ । ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ହ୍ରାସ ପାଉଥିବା ମତଦାନର ତର୍ଜମା କରି ଜାଣିବାକୁ ପାଇଲେ ଯେ, ଘରୋଇ ଭୋଟର ସ୍ଥାନାନ୍ତରଣ ଏକ ମୁଖ୍ୟ ଅଂଶ ଅଟେ । ଶିକ୍ଷା, ରୋଜଗାର ଏବଂ ଅନ୍ୟାନ୍ୟ କାରଣରୁ ଘରୋଇ ଭୋଟର ସ୍ଥାନନ୍ତରଣ ହୋଇଥାଏ । ଏହାର ସମାଧାନ ସହ ଦେଶରେ ମତଦାନ ହାର ବୃଦ୍ଧି ନିମନ୍ତେ ନିର୍ବାଚନ ଆୟୋଗ ଘରୋଇ ପ୍ରବାସୀ ଭୋଟରମାନଙ୍କ ପାଇଁ ପ୍ରୋଟୋଟାଇପ୍ ରିମୋଟ୍ ଇଲେକ୍ଟ୍ରୋନିକସ୍ ଭୋଟିଂ ମେସିନ୍ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓ ଏଥି ନିମନ୍ତେ ଦେଶର ସମସ୍ତ ରାଜନୈତିକ ଦଳମାନଙ୍କ ସହମତି ଲୋଡ଼ିଛନ୍ତି । ନିର୍ବାଚନ ଆୟୋଗ ଦେଶର ୮ଟି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଏବଂ ୫୭ଟି ସ୍ୱୀକୃତିପ୍ରାପ୍ତ ରାଜ୍ୟ ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପରିସରରେ ଆସନ୍ତା ଜାନୁଆରୀ ୧୬ତାରିଖରେ ହେବାକୁ ଥିବା ରିମୋଟ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ର ପ୍ରଦର୍ଶନ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଛନ୍ତି । ଏତଦ୍ବ୍ୟତୀତ ନିର୍ବାଚନ ଆୟୋଗ ମଧ୍ୟ ସମସ୍ତ ରାଜନୈତିକ ଦଳମାନଙ୍କଠାରୁ ଜାନୁଆରୀ ୩୧ତାରିଖ ଲିଖିତ ସୁଦ୍ଧା ଆହ୍ୱାନ କରିଛନ୍ତି ।