ଭଙ୍ଗାଗଲା କଟକର ଏଲପିଜି ଶବଦାହ କେନ୍ଦ୍ର, ସିଏନଜି କାମ ଆରମ୍ଭ

ଭଙ୍ଗାଗଲା କଟକର ଏଲପିଜି ଶବଦାହ କେନ୍ଦ୍ର, ସିଏନଜି କାମ ଆରମ୍ଭ

ଭଙ୍ଗାଗଲା କଟକର ଏଲପିଜି ଶବଦାହ କେନ୍ଦ୍ର, ସିଏନଜି କାମ ଆରମ୍ଭ


କଟକ(ଏନ୍‌.ଏମ୍‌.): ଖାନନଗର ଶ୍ମଶାନରେ କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ (ସିଏନଜି) ଚୁଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ୩୫ ବର୍ଷର ପୁରୁଣା ବିଦ୍ୟୁତ ଶବଦାହ କେନ୍ଦ୍ରକୁ ମାଟିରେ ମିଶାଇ ଦିଆଯାଇଛି । ଅବଶ୍ୟ ବିଦ୍ୟୁତ ଚାଳିତ ବଦଳରେ ଏହାକୁ ପରିବର୍ତ୍ତନ କରାଯାଇ ଲିକ୍ୟୁଇଡ଼ ପ୍ରେଟ୍ରୋଲିୟମ ଗ୍ୟାସ ଦ୍ୱାରା ଶବଦାହ ହେଉଥିଲା । ତେବେ ଏହାକୁ ପୁଣି ପରିବର୍ତ୍ତନ କରାଯାଇ ସିଏନଜି ଚୁଲାରେ ଶବଦାହ କରାଯିବ ବୋଲି ଜଣାପଡ଼ିଛି । ତଥାପି ଶ୍ମଶାନ ପରିସରରେ କାଠରେ ଶବଦାହ କାର୍ଯ୍ୟ ଜାରି ରହିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।
ଭାରତୀୟ ଗ୍ୟାସ ପ୍ରାଧିକରଣ ଲିମିଟେଡ଼ (ଗେଲ୍‌) ପକ୍ଷରୁ ସେଠାରେ ସିଏନଜି ଶବଦାହ କେନ୍ଦ୍ର ନିର୍ମାଣ କରାଯାଉଛି । ୨୦୨୨ ଫେବୃଆରୀ ସୁଦ୍ଧା ସିଏନଜିି ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି । ଯୋଜନା ମୁତାବକ ଶ୍ମଶାନ ପରିସରରେ ସିଏନଜି ଶବଦାହ କେନ୍ଦ୍ର ନିର୍ମାଣ ସହ ସେଠାରେ ଏକ ଗାଡି ରହଣି ସ୍ଥାନ (ପାର୍କିଂ), ପ୍ରାର୍ଥନା ଗୃହ ସହିତ ପାନୀୟଜଳ ବ୍ୟବସ୍ଥା, ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ ସହ ଜେନେରେଟର ମଧ୍ୟ ରଖାଯିବ । ଏଥିପାଇଁ ସମୁଦାୟ ୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସିଏନଜିରୁ ବାହାରୁଥିବା ଧୂଆଁ ପରିବେଶ ଉପରେ କୌଣସି କ୍ଷତି କରିବନି । ସେହିଭଳି ଶବ୍ଦ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବା ସହ ତୁରନ୍ତ ଦାହ ହୋଇ ପାରିବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥାନୀୟ ସତୀଚୌରା ଶ୍ମଶାନରେ ଏଲପିଜି ପାଇଁ ନିଷ୍ପତ୍ତି ହୋଇଥିଲେ ବି ପରବର୍ତ୍ତୀ ସମୟରେ ଏଠାରେ ସିଏନଜି କରାଯିବାର ପ୍ରସ୍ତାବ ରହିଛି । ସୂଚନା ଯୋଗଯେ, ପ୍ରଥମେ ୧୯୮୫ ମସିହାରେ ଖାନନଗର ଶ୍ମଶାନରେ ବିଦ୍ୟୁତ୍ ଚୁଲାନିର୍ମାଣ ହୋଇଥିଲା । ମାତ୍ର ଏହା ଅନେକ ସମୟରେ ଖରାପ ହେବା ସହିତ ବହୁ ବିଦ୍ୟୁତ୍ ଶକ୍ତି ଖର୍ଚ୍ଚ ହେଉଥିଲା । ମାସକୁ ବିଦ୍ୟୁତ୍ ବାବଦକୁ ୧ ଲକ୍ଷ ଟଙ୍କା ବ୍ୟୟ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ୨୦୧୭ ମସିହାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଶ୍ମଶାନର ପୁନରୁଦ୍ଧାର କରାଯାଇ ରାଜ୍ୟର ପ୍ରଥମ ମହାନଗର ନିଗମ ଭାବେ ସିଏମସି ଏଲପିଜି ବ୍ୟବସ୍ଥା ଆପଣାଇଥିଲା । କ୍ରମାଗତ ଭାବେ ଏଲପିଜି ବ୍ୟବସ୍ଥା ଅଚଳ ହେବା ଯୋଗୁଁ ଏଠାକୁ ଶବଦାହ ପାଇଁ ଆସୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା । ତେବେ ସିଏନଜି ଚୁଲା କାର୍ଯ୍ୟକ୍ଷମ ହେଲେ ଲୋକଙ୍କ ସମସ୍ୟା ଦୂର ହୋଇ ପାରିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ