ବୟସ ସୀମା ପାର୍ ହୋଇଥିଲେ ବି ଦେଇହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା
#କଟକ(ଏନ୍.ଏମ୍.): ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତିଙ୍କ ନିମନ୍ତେ ଖୁସି ଖବର ଆସିଛି । ଯେଉଁମାନେ ୨୦୧୯, ୨୦୨୦ କିମ୍ବା ୨୦୨୧ର ଓଡ଼ିଶା ସିଭିସ୍ ସର୍ଭିସେସ୍ ପରୀକ୍ଷା ଦେଇଛନ୍ତି କିନ୍ତୁ ୨୦୨୨ର ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷା ପାଇଁ ବୟସ ସୀମା ପାର୍ ହୋଇ ଯାଇଛି ବା ସମସ୍ତ ଚାନ୍ସ ସରିଯାଇଛି, ସେମାନେ ଆଉ ଥରେ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୨ ଦେଇପାରିବେ । ବୟସ ସୀମା ଅତିକ୍ରମ କରିଥିଲେ ମଧ୍ୟ ଏବଂ ନିୟମ ଅନୁସାରେ ସମସ୍ତ ସୁଯୋଗ ସରି ଯାଇଥିଲେ ମଧ୍ୟ ସେମାନେ ଆଉ ଥରେ ଏହି ପରୀକ୍ଷା ଦେଇପାରିବେ । ରାଜ୍ୟ ସରକାର ଆଜି ଏହି ନିଷ୍ପତ୍ତି ନେଇଛନ୍ତି । ଆଶାୟୀଙ୍କ ଦାବିକୁ ଗ୍ରହଣ କରି ରାଜ୍ୟ ସରକାର ଏହି ସୁଯୋଗ ଦେଇଛନ୍ତି । ଏ ସମ୍ପର୍କିତ ସାଧାରଣ ପ୍ରଶାସନ ଓ ପବ୍ଲିକ ଗ୍ରିଭାନ୍ସସ୍ ବିଭାଗର ରିଜୋଲ୍ୟୁସନ ପ୍ରକାଶ ପାଇଛି । ଏ ବର୍ଷ ଅଧିକ ପଦବୀ ଥିବାରୁ ବର୍ଷ ବର୍ଷ ଧରି ପ୍ରସ୍ତୁତି ଚଳାଇଥିବା ଆଶାୟୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି । ତେବେ ଓଡ଼ିଶା ଲୋକସେବା ଆୟୋଗ( ଓପିଏସସି) ପକ୍ଷରୁ ଓସିଏସ୍ (ଓଡ଼ିଶା ସିଭିଲ ସର୍ଭିସ)-୨୦୨୨ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ମୋଟ୍ ୬୮୩ଟି ଗ୍ରୁପ୍ ‘ଏ’ ଓ ‘ବି’ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୨୨୭ଟି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ମୋଟ୍ ୩୮୭ଟି ପଦବୀ ଅସଂରକ୍ଷିତ ରହିଥିବା ବେଳେ ୭୧ଟି (ଅର୍ଥନୈତିକ ପଛୁ୍ଆ ବର୍ଗ-ଏସ୍ଇବିସି), ୮୯ଟି ଅନୁସୂଚିତ ଜାତି ଓ ୧୩୬ଟି ପଦବି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ମୋଟ ପଦବିରୁ ୨୯ଟି ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ରହିଛି । ଓଏଏସ୍ ଗ୍ରୁପ ‘ଏ’ ଜୁନିଅର ବ୍ରାଞ୍ଚ ୨୪୪ଟି, ଓଏସିଏସ୍ ଗ୍ରୁପ୍ ‘ବି’ ୭, ଓଡ଼ିଶା ଲେବର ସର୍ଭିସ୍( ଓଏଲଏସ୍) ୫୦, ଓଡ଼ିଶା ରେଭିନ୍ୟୁ ସର୍ଭିସ( ଓଆରଏସ) ୨୯୫, ଓଡ଼ିଶା ଟ୍ରାନ୍ସପୋର୍ଟ ସଭିର୍ସ (ଓଟିଏସ) ୨୨, ଓଡ଼ିଶା ଟ୍ୟାକ୍ସେସନ ଆଣ୍ଡ୍ ଆକାଉଣ୍ଟ୍ (ଓଟି ଆଣ୍ଡ ଏଏସ୍) ୬୫ଟି ପଦବୀ ପୂରଣ ପାଇଁ ଏହି ପରୀକ୍ଷା ହେବାକୁ ଯାଇଛି । ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ୨୪୪ଟି ପଦବୀ ଗ୍ରୁପ ‘ଏ’ ଥିବା ବେଳେ ଅନ୍ୟ ପଦବୀଗୁଡିକ ଗ୍ରୁପ୍ ‘ବି’ ରହିଛି । ଆଶାୟୀ ପ୍ରାର୍ଥୀମାନେ ଜାନୁଆରୀ ୧୭ ତାରିଖରୁ ଅନଲାଇନରେ ଏଥିପାଇଁ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ଫେବ୍ରୁଆରି ୧୬ ତାରିଖ ରହିଛି । ପ୍ରିଲିମନାରି, ମୁଖ୍ୟ ଲିଖିତ ପରୀକ୍ଷା ଓ ସାକ୍ଷାତକାର, ଏଭଳି ୩ଟି ପର୍ଯ୍ୟାୟରେ ପରୀକ୍ଷା କରାଯାଇ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ ବୋଲି ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି ।