ବଢ଼ୁଛି ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା: ବିପଦରେ କୋଣାର୍କ-ପୁରୀ ବେଳାମାର୍ଗ
କୋଣାର୍କ (ଏନ୍.ଏମ୍.): ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ହୋଇ କୂଳକୁ ମାଡି ଆସି ବାଲିବନ୍ଧ ଓ ସୁରକ୍ଷା ପ୍ରାଚୀର ଭସାଇ ନେବା ପରେ କୋଣାର୍କ-ପୁରୀ ବେଳାମାର୍ଗ ପ୍ରତି ବିପଦ ସୃଷ୍ଠି କରିଛି । ଅଶାନ୍ତ ସମୁଦ୍ର ଗର୍ଭରୁ ସୃଷ୍ଟି ହେଉଥିବା ଉଚ୍ଚ ଜୁଆର ଏବେ କୂଳଲଙ୍ଘନ କରି ସ୍ଥଳଭାଗକୁ ମାଡିଆସୁଛି । ଏହି ଉଚ୍ଚ ଜୁଆର ପ୍ରଭାବରେ କୋଣାର୍କ-ପୁରୀ ବେଳାମାର୍ଗର ଚନ୍ଦ୍ରଭାଗା ଠାରୁ ୩ କିଲୋମିଟର ଦୂର ଇକୋରିଟ୍ରିଟ ନିକଟରେ ସମୁଦ୍ର ଜୁଆର ମାଡିଆସି ବାଲିବନ୍ଧକୁ ଧୋଇନେଇ ଯାଉଥିବାବେଳେ ସୁରକ୍ଷା ପ୍ରାଚୀର ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି । ରାସ୍ତା କଡରେ ଥିବା ୩୩ କେଭି ବିଦ୍ୟୁତ ଖୁଣ୍ଟକୁ ମଧ୍ୟ ଭସାଇ ନେଇଛି । ଫଳରେ ଏହି ୩୩ କେଭି ବିଦ୍ୟୁତ ସଂଯୋଗ ଉପରେ ନିର୍ଭର କରୁଥିବା ଏକାଧିକ ଗ୍ରାମ ଏବେ ଅନ୍ଧାରରେ ରହିଛି । ବେଳାମାର୍ଗକୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟ । ସମୁଦ୍ର ଜୁଆରକୁ ଅଟକାଇବା ପାଇଁ ପ୍ରଶାସନ ପକ୍ଷରୁ ବଡବଡ ବହ୍ଲା ପୋତାଯାଇ ବାଲିବସ୍ତା ଦ୍ୱାରା ସୁରକ୍ଷା ବଳୟ ସୃଷ୍ଟି କରାଯାଇଥିଲେ ମଧ୍ୟ ପ୍ରକୃତିର କରାଳରୁପ ଆଗରେ ସମୁଦ୍ର ଗର୍ଭରେ ଲୀନ ହୋଇ ଯାଇଥିଲା । ତେବେ ପ୍ରଶାସନ ପକ୍ଷରୁ ପୂନର୍ବାର ବହ୍ଲା ପୋତାଯାଇ ଟିଣ ଚାଦର ଲଗାଇବା ପରେ ବାଲି ବସ୍ତା ଦ୍ୱାରା ସୁରକ୍ଷା ପ୍ରାଚୀର କରାଯାଉଛି । ପ୍ରଶାସନିକ ଅଧିକାରୀମାନଙ୍କ ଅନୁପସ୍ଥିତିରେ ଠିକାଦାର ଅନଭିଜ୍ଞ ଓ ଅଣ କୁଶଳୀ ଶ୍ରମିକମାନଙ୍କୁ ନେଇ ସମୁଦ୍ର ଜୁଆରକୁ ଅଟକାଇବା ପାଇଁ ପ୍ରୟାସ କରିବା ହାସ୍ୟସ୍ପଦ ହୋଇଛି । ସମୁଦ୍ର ଗର୍ଭରେ ଏହି ଭଳି ଉଚ୍ଚ ଜୁଆର ଲାଗି ରହିଲେ ଏହି ବେଳାମାର୍ଗଟି ସମୁଦ୍ର ଜୁଆରରେ ଲୀନ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି । ବେଳାମାର୍ଗର ଉଭୟ ପାଶ୍ୱର୍ରେ ଥିବା ବାଲିବନ୍ଧରୁ ବାଲି ଆଣି କୋଣାର୍କ ପାରିପାର୍ଶିକ ଉନ୍ନୟନ ନାମରେ ବ୍ୟବହାର କରିବା ମହଙ୍ଗା ପଡିଛି । ଏଥି ପାଇଁ କୋଣାର୍କ-ପୁରୀ ବେଳାମାର୍ଗଟି ଗତ କିଛି ବର୍ଷ ହେବ ସମୁଦ୍ର ଜୁଆର ପ୍ରକୋପରେ ବିଭିନ୍ନ ସ୍ଥାନରେ ରାସ୍ତା ଖାଇ ଯାଇଥିବାବେଳେ ଅନେକ ସ୍ଥାନରେ ରାସ୍ତା ଉପରକୁ ବାଲି ମାଡ଼ିଯାଇ ଯାତାୟତରେ ବାଧକ ସୃଷ୍ଟି କରୁଛି । ବେଳାମାର୍ଗର ସୁରକ୍ଷା ପାଇଁ ଅନେକ ସ୍ଥାନରେ ପଥର ପ୍ୟାକିଂ କରାଯାଇ ଥିଲେ ମଧ୍ୟ ଚନ୍ଦ୍ରଭାଗା ନିକଟରୁ ସାହୁ ଖଣତା ପର୍ଯ୍ୟନ୍ତ ପ୍ରାୟ ୪ କିଲୋମିଟର ଦୂରତା ମଧ୍ୟରେ ଥିବା ବାଲିବନ୍ଧ ଗୁଡ଼ିକ ବାଲି ମାଫିଆଙ୍କ ପାଇଁ ନିଶ୍ଚିନ୍ନ ହୋଇ ଯାଇଛି । ସାମୁଦ୍ରିକଝଡ ମହାବାତ୍ୟା, ଫାଇଲିନ, ଫନି, ଆମ୍ଫାନ ପୂର୍ବରୁ ସମୁଦ୍ର କୂଳରେ ଥିବା ଝାଉଁ ଜଙ୍ଗଲ ସମୁଦ୍ର ଜୁଆରକୁ ପ୍ରତିରୋଧ କରୁଥିଲା । କିନ୍ତୁ ଏହି ସବୁ ସାମୁଦ୍ରିକ ଝଡ ପରେ ସମୁଦ୍ର କୁଳରେ ଥିବା ଝାଉଁ ଜଙ୍ଗଲ ନଷ୍ଟ ହୋଇ ଯାଇଥିବା ହେତୁ ସୁଉଚ୍ଚ ଜୁଆର ପ୍ରଭାବରେ ବେଳାମାର୍ଗ ଉପରେ ବାଲି ମାଡ଼ିଜିବା ସହ ବେଳାମାର୍ଗ ପ୍ରତି ବିପଦ ସୃଷ୍ଟି ହୋଇଛି । ୧୯୭୮ ମସିହାରେ ନିର୍ମିତ ହୋଇଥିବା କୋଣାର୍କ-ପୁରୀ ୩୫କିଲୋମିଟର ବେଳାମାର୍ଗଟି ଜାତୀୟ ରାଜପଥ ୩୧୬କୁ ହସ୍ତାନ୍ତର କରାଯାଇଥିଲେ ମଧ୍ୟ ଓଡ଼ିଶାର ଦୁଇଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରକୁ ସଂଯୋଗ କରୁଥିବା ଏହି ବେଳା ମାର୍ଗ ଏବେ ସମୁଦ୍ର ଜୁଆରର ପ୍ରଭାବରେ ପ୍ରଭାବିତ ହୋଇଛି । ପ୍ରକୃତିର କୃର ତାଡନା ଆଗରେ ଏହି ବେଳାମାର୍ଗ ଦିନେ ନିଶ୍ଚିନ ହୋଇ ନଯିବ ଏକଥା କିଏ କହିବ । ସାମୁଦ୍ରିକ ଜୁଆର ପ୍ରଭାବକୁ ପ୍ରତିହତ କରିବା ପାଇଁ ସମୁଦ୍ର କୂଳରେ ବ୍ୟାପକ ପରିମାଣରେ ବନିକରଣ ଓ ସୁରକ୍ଷା ପ୍ରାଚୀରର ଆବଶ୍ୟକତା ରହିଛି ବୋଲି ପରିବେଷ ବିତ୍ତମାନେ ମତପୋଷଣ କରିଛନ୍ତି ।