ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ପ୍ରସଙ୍ଗ
୧ମାସ ମଧ୍ୟରେ ୧୧୫ କୋଟି ଟଙ୍କା ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ(ଏନ୍.ଏମ୍.): କଟକ ଜିଲ୍ଲାର ଐତିହାସିକ ଶିଳ୍ପନଗରୀ ଚୌଦ୍ୱାରସ୍ଥିତ ଓଡିଶା ଟେକ୍ସଟାଇଲ ମିଲ୍(ଓଟିଏମ୍) ପୁନରୁଦ୍ଧାର ମାମଲାର ଶୁଣାଣିକରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ୧୧୫ କୋଟି ଟଙ୍କା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ଜାଣିବା ପରେ ଶ୍ରମିକଙ୍କ ମଧ୍ୟରେ ନୂଆ ଆଶା ଉଦ୍ଯିବିତ ହୋଇଛି । ବର୍ଷ ବର୍ଷ ଧରି ନିଜ ପ୍ରାପ୍ୟ ପାଇବାରୁ ବଞ୍ଚିତ ଥିବା ଶ୍ରମିକ ପରିବାର ମୁହଁରେ ହସ ଫେରିବ ବୋଲି ଆଲୋଚନା ହେଉଛି । ତେବେ ଓଟିଏମର ବିଭିନ୍ନ ବାବଦରେ ଥିବା ବକେୟା ତାଲିକା ଅନୁଯାୟୀ ଅଫିସିଆଲ ଲିକୁଡେଟରଙ୍କ ନିକଟରେ ୧୧୫କୋଟି ଟଙ୍କା ଅର୍ଥ ଦାଖଲ କରିବାକୁ ହାଇକୋର୍ଟର ମୁଖ୍ୟବିଚାରପତି ଡକ୍ଟର ଏସ୍.ମୁରଲିଧର ଓ ବିଚାରପତି ଚିତ୍ତ ରଞ୍ଜନ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅର୍ଥ ଆସନ୍ତା ୧ମାସ ମଧ୍ୟରେ ଦାଖଲ କରିବାକୁ ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଆସନ୍ତା ଅକ୍ଟୋବର ୧୮ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଖଣ୍ଡପୀଠ ଦିନ ଧାର୍ଯ୍ୟ କରିଛନ୍ତି । ପୂର୍ବରୁ ଅଦାଲତ ଶ୍ରମିକମାନଙ୍କ ପ୍ରାପ୍ୟ ଏବଂ ଦେୟ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ଲିକୁଡେଟରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କମ୍ପାନୀର କେତେଜଣ କର୍ମଚାରୀଙ୍କର କେତେ ଟଙ୍କା ବକେୟା ରହିଛି ସେନେଇ ହିସାବ କିତାବ ପାଇଁ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ତେବେ ଏ ନେଇ ଚାଟାର୍ଡ ଆକାଉଟାଣ୍ଟ ନିଯୁକ୍ତି ଦିଆଯାଇଥିବା ଲିକୁଡେଟର କୋର୍ଟଙ୍କୁ ଅବଗତ କରାଇଥିଲେ । ଓଟିଏମ୍ ପାଇଁ ରାଜ୍ୟ ସରକାର ପୂର୍ବରୁ ୩୦ କୋଟି ଓ ଇଡ଼କୋ ପକ୍ଷରୁ ୫ କୋଟି ମୋଟ ୩୫ କୋଟି ଦାଖଲ ହୋଇଥିବା ନେଇ ଆଡଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରାଇଥିଲେ । ଶ୍ରମିକ ଓ କର୍ମଚାରୀମାନଙ୍କ କ୍ୱାର୍ଟର ଗୁଡିକରେ ବିଦ୍ୟୁତ ସଂଯୋଗ ନେଇ କର୍ମଚାରୀଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଅଫିସିଆଲ ଲିକ୍ୟୁଡେଟରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ କ୍ୱାର୍ଟରକୁ ଗୋଟିଏ ଲେଖାଏଁ ମିଟର ସଂଯୋଗ କରିବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏସଂକ୍ରାନ୍ତରେ କର୍ମଚାରୀମାନେ ଅଫିସିଆଲ ଲିକ୍ୟୁଡେଟରଙ୍କୁ ଜଣାଇବାକୁ କୋର୍ଟ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ମହାବାତ୍ୟାରେ ବ୍ୟାପକ କ୍ଷତି ହୋଇଯାଇଥିବା ଓଟିମ୍ରେ ୨୦୦୧ ମସିହା ଜୁଲାଇ ୩୧ ତାରିଖରେ ତାଲା ପଡ଼ିଯାଇଥିଲା । ତେବେ ପୁନଃକ୍ଷମ କରିବା ଲାଗି ଏହାକୁ ନିଲାମ କରିବା ପାଇଁ ଲିକୁଡେଟର ଏକଦା ଦରଖାସ୍ତ ଆହ୍ୱାନ କରିଥିବାବେଳେ ରାଜ୍ୟ ସରକାର ପୁନର୍ବାର ଓଟିଏମ୍କୁ ଅଧିଗ୍ରହଣ କରିବା ଲାଗି ଚାହିଁଥିଲେ । ସରକାରଙ୍କ ପକ୍ଷରୁ ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଓଟିଏମ୍କୁ ରାଜ୍ୟ ସରକାର ଅଧିଗ୍ରହଣ କରନ୍ତୁ ବୋଲି ଆବେଦନକାରୀ ପକ୍ଷରୁ କୋର୍ଟଙ୍କୁ ଆବେଦନ କରାଯାଇଥିଲା । ତେବେ ୧୧୫ କୋଟି ଟଙ୍କା ପୈଠ କରିବା ଲାଗି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଦୀର୍ଘଦିନ ହେବ ନିଜର ବକେୟା ପ୍ରାପ୍ୟ ନପାଇ ନାନାବିଧ ସମସ୍ୟା ଭିତରେ ଜୀବନ ବିତାଉଥିବା ଶ୍ରମିକମାନଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି ।