ବଢ଼ିଲା ଖରିଫ ଧାନ ସଂଗ୍ରହ ପଞ୍ଜିକରଣ ଅବଧି
ଭୁବନେଶ୍ୱର (ଏନ୍.ଏମ୍.) : ଖରିଫ ଧାନ ସଂଗ୍ରହ ପଞ୍ଜିକରଣ ଅବଧି ବୃଦ୍ଧି କରାଯାଇଥିବା ରାଜ୍ୟ ସମବାୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଖରିଫ ଋତୁ ପାଇଁ ଚାଲିଥିବା ପଞ୍ଜିକରଣ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ପ୍ରାୟ ୩୦ପ୍ରତିଶତ କମ୍ ଚାଷୀ ପଞ୍ଜିକରଣ କରିଛନ୍ତି । ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ସାଢ଼େ ୪ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପଞ୍ଜିକରଣ କରି ନଥିବା ଯୋଗୁଁ ଏହାକୁ ନେଇ ସରକାରଙ୍କ ପକ୍ଷରୁ ଅବଧି ଆଉ ୭ଦିନ ଯାଏଁ ବୃଦ୍ଧି କରାଯାଇଛି । ଏନେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସାମାଜିକ ଗଣମାଧ୍ୟମରେ ଦର୍ଶାଇଛନ୍ତି ଯେ, ଚାଷୀଙ୍କ ପଞ୍ଜିକରଣ ଅବଧି ଚଳିତମାସ ୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ ଚାଷୀ ସେମାନଙ୍କ ନାମ ପଞ୍ଜିକରଣ କରାଇବାକୁ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି । ସେ ସୂଚନା ଦେଇ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ତଥା ଆଜି ସୁଦ୍ଧା ୨୮୮୧ଟି ସମିତି ମାଧ୍ୟମରେ ୧୦ଲକ୍ଷ ୧୪ ହଜାର ୭୩୫ ଚାଷୀ ଆଗାମୀ ଖରିଫ ଋତୁ ପାଇଁ ନାମ ପଞ୍ଜିକରଣ କରିଛନ୍ତି । ପୂର୍ବ ସମୟ ଅବଧି ମଧ୍ୟରେ ଯେଉଁ ଚାଷୀ ନାମ ପଞ୍ଜିକରଣ କରିପାରି ନାହାନ୍ତି ସେମାନେ ଦସ୍ତାବିଜ୍ ସହ ନିକଟସ୍ଥ ସମବାୟ ସମିତିକୁ ଯାଇ ଆସନ୍ତା ୨୩ ତାରିଖ ମଧ୍ୟରେ ନାମ ପଞ୍ଜିକରଣ କରାନ୍ତୁ । ଏନେଇ ଚାଷୀଙ୍କୁ ଅବଗତ କରାଇବାକୁ ଜିଲ୍ଲାପାଳ ଓ ସମବାୟ ସମିତି ସମୂହ ନିବନ୍ଧକଙ୍କୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଅନ୍ୟପକ୍ଷରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଏହାକୁ ନେଇ ସମାଲୋଚନା କରାଯାଇଛି । ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ଯେ, ଗତବର୍ଷ ରାଜ୍ୟରେ ୧୪ଲକ୍ଷ ୭୨ହଜାର ୯୪୬ ଚାଷୀ ପଞ୍ଜିକରଣ କରିଥିଲେ । ଏଥର ଯଦି ପଞ୍ଜିକରଣ ପ୍ରକ୍ରିୟା ସରକାର ସରଳୀକରଣ କରିଥାନ୍ତେ ତେବେ ଏହି ସଂଖ୍ୟା ୧୫ଲକ୍ଷ ଟପିଥାନ୍ତା । ହେଲେ ସରକାର ଚାଷୀଙ୍କ ହିତକୁ ଦୃଷ୍ଟି ନରଖି ନିଜ ଜିଦରେ ରହିଲେ । ଯେଉଁଥିପାଇଁ ସାଢ଼େ ୪ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ କମ୍ ପଞ୍ଜିକରଣ କରିଛନ୍ତି । ରାଜ୍ୟ ସରକାର ଯଦି ଚାଷୀଙ୍କ ହିତ ଚାହୁଁଛନ୍ତି ତେବେ ଏହି ଅବଧି ଚଳିତମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରନ୍ତୁ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି ।