ବଡ଼ଦେଉଳରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ବଡ଼ଦେଉଳରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ବଡ଼ଦେଉଳରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

Photo by I&PR Odisha

ପୁରୀ(ଏନ୍‌.ଏମ୍‌.): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୁରୀଗସ୍ତରେ ଆସିଥିବାବେଳେ ସନ୍ଧ୍ୟାରେ ବଡ଼ଦେଉଳକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ରାଜଭବନରୁ ସନ୍ଧ୍ୟା ପ୍ରାୟ ୪ଟା ୫୦ରେ କଡ଼ା ସୁରକ୍ଷା ଭିତରେ ବାହାରି ସେ ୧୦ମିନିଟ ପରେ ସିଂହଦ୍ୱାରରେ ପହଞ୍ଚିଥିଲେ । ସିଂହଦ୍ୱାରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ସ୍ୱାଗତ କାର୍ଯ୍ୟକ୍ରମ ପରେ ସେ ବଡ଼ଦେଉଳ ଭିତରକୁ ପ୍ରବେଶ କରିଥିଲେ । ଏହାପରେ ସେବାୟତମାନେ ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପାଛୋଟି ନେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି ଗର୍ଭଗୃହରୁ ମହାପ୍ରଭୁ ଭଳଭଦ୍ର, ଶୁଭଦ୍ରା, ଜଗନ୍ନାଥ ଓ ସୂଦର୍ଶନଙ୍କ ଚତୁର୍ଦ୍ଧାମୂର୍ତ୍ତିକୁ ଦର୍ଶନ କରିଥିଲେ । ଏହି ଗସ୍ତ ସମୟରେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ, ଝିଅ ଓ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ପରେ ସେ ମା’ ବିମଳା ଓ ମହାଲକ୍ଷ୍ମୀଙ୍କ ମନ୍ଦିର ଯାଇ ଦର୍ଶନ କରଥିଲେ । ଦର୍ଶନ ସମୟରେ ରାଷ୍ଟ୍ରପତି ପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ରାଷ୍ଟ୍ରପତି ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚି ସେ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ସେ ସ୍ଥାନୀୟ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ଭିତରେ ଏକ ସ୍ୱତନ୍ତ୍ର କାରକେଡରେ ରାଜଭବନ ଯାଇଥିଲେ । ରାଷ୍ଟ୍ରପତିଙ୍କ ସହିତ ତାଙ୍କ ଧର୍ମପତ୍ନୀ, କନ୍ୟା ଓ ପରିବାର ସଦସ୍ୟ ଥିଲେ । ଏଥି ସହିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ଥିଲେ । ରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବାପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୁଲିସ ଡିଜି ସୁନୀଲ ବଂଶଲ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ରାମାନଥ କୋବିନ୍ଦଙ୍କ ଶ୍ରୀମନ୍ଦିର ଗସ୍ତ ଓ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ତେବେ ଆସନ୍ତାକାଲି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିଠାରେ ଆୟୋଜିତ ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଶୁଭାରମ୍ଭ ଉତ୍ସବରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ପୁରୀଗସ୍ତରେ ଆସିଛନ୍ତି । ଆଜି ରାଷ୍ଟ୍ରପତି ପ୍ରାୟ ୪୫ ମିନିଟ୍ ଶ୍ରୀମନ୍ଦିର ଭିତରେ ରହିବା ପରେ ସଂଧ୍ୟା ୫ଟା ୪୫ରେ ସିଂହଦ୍ୱାର ଦେଇ ବାହାରି ରାଜଭବନ ଯାଇଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ