ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଜଳସମ୍ପଦ ବିଭାଗ ସମ୍ପର୍କିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ
ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଜଳସମ୍ପଦ ବିଭାଗ ଅଧୀନସ୍ଥ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶ୍ରୀ ଦାସବର୍ମା ଉପସ୍ଥିତ ଯନ୍ତ୍ରୀ ତଥା ଅଧିକାରୀମାନଙ୍କୁ ଖୁବ୍ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଚଳିତ ଆର୍ôଥକ ବର୍ଷରେ ଡ୍ରେନେଜ୍ ବିଭାଗ ପକ୍ଷରୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଜଳସେଚନ ଓ ଜଳନିଷ୍କାସନ ପାଇଁ ୬ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟରେ ସୁନାମୁହିଁ ସ୍ଲୁଇସ୍ କାର୍ଯ୍ୟ, ୭୪ ଲକ୍ଷ ଟଙ୍କା ବ୍ୟୟରେ ଦକ୍ଷିଣ କାଣିଆ ଜଳନିଷ୍କାସନ କାର୍ଯ୍ୟ, ୨୪ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ରନିଚିରା ଡ୍ରେଜିଂ କାର୍ଯ୍ୟ, ୧ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟରେ ଭାର୍ଗବୀ-ରନିଚିରା ଡ୍ରେନେଜ୍ ସିଷ୍ଟମ, ୫ କୋଟି ୬୯ ଲକ୍ଷ ଟଙ୍କା ବ୍ୟୟରେ ବ୍ରହ୍ମଗିରି ବ୍ଲକ୍ର ଲୁଣା-ରନିଚିରା ଡ୍ରେନେଜ୍ ସିଷ୍ଟମ, ୪ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟରେ ବ୍ରହ୍ମଗିରି ବ୍ଲକ୍ ଭାର୍ଗବୀ ନଦୀର ଲିଙ୍କ୍ ଚ୍ୟାନେଲ୍, ୨୯ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟରେ ଭାର୍ଗବୀ ନଦୀ ଡ୍ରେଜିଂ କାର୍ଯ୍ୟ, ୧ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟରେ ଏକନାଳିଆ ଲିଙ୍କ ଚ୍ୟାନେଲ୍ କାର୍ଯ୍ୟ, ୨ କୋଟି ୨୨ ଲକ୍ଷ ଟଙ୍କା ବ୍ୟୟରେ ଦକ୍ଷିଣକାଣିଆ, ବକ୍ସିକାଣିଆ, ବେଣାକାଣିଆର ଖନନ କାର୍ଯ୍ୟ ଏବଂ ୮ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟରେ ଦକ୍ଷିଣକାଣିଆ ଡ୍ରେଜିଂ ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ହାତକୁ ନିଆଯାଇଛି । ଆଜିର ଏହି ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ପ୍ରକଳ୍ପଗୁଡ଼ିକର ବୈଷୟିକ ମଞ୍ଜୁରୀ ଓ ଟ୍ରେଣ୍ଡର ପ୍ରକ୍ରିୟା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ୱାରୋପ କରିଥିଲେ । ଖୁବ୍ଶୀଘ୍ର ୧୫.୬୭ କୋଟି ଟଙ୍କା ବ୍ୟୟରେ ଜଗଦଳ ନାଳର ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ତଳମାଳ ପଞ୍ଚାୟତ ଓ କୁସୁବେଣ୍ଟି ପଞ୍ଚାୟତର ଲୋକପ୍ରତିନିଧିମାନଙ୍କ ସହ ପୁରୀଠାରେ ବିଭାଗୀୟ ଡ୍ରେନେଜ ଓ ଜଳସେଚନ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଏସବୁ ଅଞ୍ଚଳରେ ଉପୁଜୁଥିବା ସମସ୍ୟାର ସ୍ଥାୟୀ ସମାଧାନ ସହିତ ଡ୍ରେଜିଂ କାର୍ଯ୍ୟକୁ ଆଗେଇନେବା ପାଇଁ ଏକ ବୈଠକ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଭାର୍ଗବୀ ନଦୀରୁ ସଂଯୋଗ କରୁଥିବା ସମସ୍ତ କାଣିଆ, ନଦୀ ଓ କେନାଲ ସିଷ୍ଟମ ସଂପୂର୍ଣ୍ଣ ଭାବେ ପୋତିହୋଇ ଜଳସେଚନ ଓ ଜଳନିଷ୍କାସନ କ୍ଷେତ୍ରରେ ଭୟଙ୍କର ସମସ୍ୟା ସୃଷ୍ଟି ହୋଇଥିବାରୁ ଏବଂ ଏହାଦ୍ୱାରା ବ୍ରହ୍ମଗିରି ଅଞ୍ଚଳର ଚାଷୀଭାଇମାନେ ରବିଚାଷ ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବାରୁ ତୁରନ୍ତ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଛନ୍ତି । ଖୁବ୍ଶୀଘ୍ର ଭାର୍ଗବୀ ନଦୀ ଉପରେ ମାଳିସାହିଠାରେ ୫ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟରେ ଓଡ଼ିଶା ନିର୍ମାଣ ନିଗମ(ଓସିସି) ଦ୍ୱାରା ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଥିବାରୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ଦାସବର୍ମା ଧନ୍ୟବାଦ ଜଣାଇଛନ୍ତି । ଏଥି ସହିତ ସାତପଡ଼ା, ନଡ଼ିଆଖିଆ ଏବଂ ଅରଖକୁଦା ଲୁଣାବନ୍ଧର ପୁନରୁଦ୍ଧାର କାର୍ଯ୍ୟ ବିଷୟରେ ବୈଠକରେ ସମୀକ୍ଷା କରାଯାଇଥିଲା । ଆଜିର ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ବିଜୟ କୁମାର ମିଶ୍ର, ମୁଖ୍ୟଯନ୍ତ୍ରୀ ଇଂ. ଭକ୍ତରଞ୍ଜନ ମହାନ୍ତି, ମୁଖ୍ୟଯନ୍ତ୍ରୀ (ଡ୍ରେନେଜ୍) ଇଂ. ବାଲେଶ୍ୱର ନାଥ ସାହୁ, ଓସିସିର ପରିଚାଳନା ନିର୍ଦ୍ଦେଶକ ଇଂ. ବିଭୂତିଭୁଷଣ ଦାଶ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ବିଘ୍ନରାଜ ପୁରୋହିତ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ସନ୍ତୋଷ କୁମାର ସ୍ୱାଇଁ, ଓସିସିର ସାଧାରଣ ପରିଚାଳକ ଇଂ. ତୁଷାରକାନ୍ତ ମହାପାତ୍ର, ପୁରୀ ଜଳସେଚନ ମଣ୍ଡଳର ଅଧୀକ୍ଷଣ ଯନ୍ତ୍ରୀ ଇଂ. ପ୍ରଶାନ୍ତ କୁମାର ଦାସ ଏବଂ ପୁରୀ ଡ୍ରେନେଜ୍ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ ଇଂ. ଆଶିଷ କୁମାର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।