ବ୍ରଜସୁନ୍ଦର ଦାସଙ୍କ ଶ୍ରଦ୍ଧାଞ୍ଜଳି

#କିଶନନଗର(ଏନ୍.ଏମ୍.): ସ୍ୱର୍ଗତ ବ୍ରଜସୁନ୍ଦର ଦାସ ଜଣେ ସଂଭ୍ରାନ୍ତ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଭୋଗ ବିଳାସ ଠାରୁ ଦୂରେଇ ରହି ସମାଜସେବା କ୍ଷେତ୍ରରେ ତାଙ୍କ ଦାନ ଅନନ୍ୟ । ସେ ଅତ୍ୟନ୍ତ ସ୍ନେହୀ ଦରଦୀ ମଣିଷ ଭାବରେ ସର୍ବଜନ ଆଦୃତ ଥିଲେ । ସେ କଟକ ମୋଟର ଆସୋସିଏସନରେ ଦୀର୍ଘଦିନ କାର୍ଯ୍ୟରତ ଥିଲେ । ଗାଁ ବୋଧପୁର ପ୍ରାଥମିକ ବିଦ୍ୟାଳୟର ଚେୟାର ମ୍ୟାନ ଥିଲେ । ୧୯୯୨ ମସିହା ଜନତା ଦଳ ଶାସନ ସମୟରେ ବିଧାନସଭା ବାଚସ୍ପତି ଯୁଧଷ୍ଠିର ଦାଶଙ୍କ ସହଯୋଗରେ ଗ୍ରାମର ବିକାଶ କାର୍ଯ୍ୟ କରାଇ ଥିଲେ । ବୋଧପୁର ପଞ୍ଚାୟତ ସଭାପତି ଭାବରେ କାର୍ଯ୍ୟ କରୁଥିଲେ । ଶୁକ ପାଇକା ନଦୀ ପୋଲ ନିର୍ମାଣ ହେଉ କି ସିଦ୍ଧ ପୁରୁଷ “ସାଧୁ ଚରଣ ଦାସ”ଙ୍କ ଗାଦି ନିର୍ମାଣ ରେ ତାଙ୍କ ଭୂମିକା ଅତୁଳନୀୟ । ସେ ଦୁଃଖି, ରୋଗୀ, ନିରାଶ୍ରୟ ଲୋକଙ୍କୁ ଦାନ ସେବା କରିବାକୁ ଭଲ ପାଆନ୍ତି । ଜଣେ ସଂସ୍କାରଧର୍ମି ସମାଜସେବୀ ଭାବରେ ଏ ଅଞ୍ଚଳରେ ସୁପରିଚିତ । କେବଳ ସେତିକି ନୁହେଁ ସମାଜସେବା ସହିତ କୃଷି ଉନ୍ନତିରେ ସେ ନୂତନ ଦିଗ୍ଦର୍ଶନ ପ୍ରଦାନ କରିଥିଲେ ତାହା ଅବର୍ଣ୍ଣନୀୟ । ବୈଜ୍ଞାନିକ ପ୍ରଣାଳୀରେ ଫଳ, ଫୁଲ, ଛତୁ ଚାଷ, ମାଛ ଚାଷ, ମହୁ ଚାଷ, ଲେମ୍ବୁ ଚାଷ, ଧାନ ଚାଷ କରି ବେଶ୍ ସୁନାମ ଅର୍ଜନ କରିଥିଲେ । ତାଙ୍କୁ ୨୦୦୩ ମସିହାରେ “ରାଜକୃଷ୍ଣ ବୋଷ ସ୍ମୃତି ସଂସଦ’କିଶୋର ନଗର କଟକ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।୨୦୧୧ମସିହାରେ କଟକ ସଦର ପୂର୍ବତନ ବିଧାୟକ ସ୍ୱର୍ଗତ କାଳନ୍ଦୀ ବେହେରା ମଧ୍ୟ ଯଶପଡ଼ା ଠାରେ ସମ୍ବର୍ଦ୍ଧିତ କରିଥିଲେ । ଗ୍ରାମର ଯୁବକ ମାନଙ୍କ ପାଇଁ ସେ ଥିଲେ ଜେଜେ ବୋଲି ସ୍ଥାନୀୟ ବୋଧପୁର ଗ୍ରାମରେ ଆୟୋଜିତ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ଅବସରରେ ଅଞ୍ଚଳର ଯୁବକମାନେ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ତାଙ୍କର ନାତି ସଂଜିତ୍ କୁମାର ଦାସ ପରିଚାଳନା କରିଥିଲେ ।