ବୋରିଗୁମ୍ମା ଇରିଗେସନ୍ କଲୋନୀରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
ଜୟପୁର(ଏନ୍.ଏମ୍.): କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ଇରିଗେସନ କଲୋନୀର ଏକ ଘର ନିକଟରୁ ପୁଲିସ୍ ପ୍ରାୟ ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରିଛି । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଞ୍ଜେଇ ବୋଝେଇ ଥିବା ଏକ ପିକ୍ଅପ୍ ଭ୍ୟାନ ସହିତ ଗୋଟିଏ ମାଉଜର ପାଇଥିଲା । ଏହାକୁ ପୁଲିସ ଜବତ କରି ଥିବାବେଳେ ଗଞ୍ଜେଇ ମାଫିଆମାନେ ଫେରାର ହୋଇ ଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବୋରିଗୁମ୍ମା ସ୍ଥିତ ଇରିଗେସନ କଲୋନୀରେ ଏକ ଘରେ କିଛି ଗଞ୍ଜେଇ ମାଫିଆ ରହୁଥିବା ଓ ସେମାନେ ଏକ ପିକ୍ଅପ୍ ଗାଡ଼ିରେ ଗଞ୍ଜେଇ ଚାଲାଣ କରିବା ପାଇଁ ପ୍ରସ୍ତୁତ ହୋଇଥିବା ନେଇ ପୁଲିସ୍ ପାଖରେ କୌଣସି ସୂତ୍ରରୁ ଖବର ପହଞ୍ଚିଥିଲା । ଏହା ପରେ ଜୟପୁର ଓ ବୋରିଗୁମ୍ମା ପୁଲିସ୍ ମିଳିତ ଭାବେ ସେଠାରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଉକ୍ତ ପିକ୍ଅପ୍ ଭ୍ୟାନରୁ ୧୧୪୫ କେଜି ଗଞ୍ଜେଇ ଜବତ କରାଯାଇଥିଲା । ତେବେ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ବିଫଳ ହୋଇଥିଲେ । ଗଞ୍ଜେଇ ମାଫିଆମାନେ ସେଠାରେ ଥିବା ଏକ ଘରେ ଭଡ଼ାରେ ରହୁଥିଲେ । ଘରମାଲିକଙ୍କ ଠାରୁ ସବିଶେଷ ତଥ୍ୟ ସଂଗ୍ରହ କରି ଫେରାର ମାଫିଆଙ୍କୁ ଧରିବାକୁ ଉଦ୍ୟମ କରାଯାଉଥିବା ଜୟପୁର ପୁଲିସ ପକ୍ଷରୁ ସୂଚନା ମିଳିଛି ।