ବୈକୁଣ୍ଠ ବିହାର ମୁଖ୍ୟ ରାସ୍ତାରେ ମୁକୁଳା ଟ୍ରାନ୍ସଫର୍ମର : ପଦାରେ ପଡିଲା ଟିପିସିଓଡିଏଲର ପାରିବା ପଣିଆ
ଜଗତପୁର(ଏନ୍.ଏମ୍.): ଜଗତପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଟ୍ରାନ୍ସଫର୍ମର ଗୁଡିକୁ ଆବଦ୍ଧ କରାଯାଇଥିବାବେଳେ ଆଉ କେତେକ ସ୍ଥାନରେ ବିପଦସଙ୍କୁଳ ଭାବେ ମୁକୁଳା ହୋଇପଡିଥିବା ଦେଖାଯାଇଛି । ଏଥିପାଇଁ ବୁଲା ଗୋରୁଗାଇଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ପୂର୍ଣ୍ଣ ହୋଇପଡିଛି । ଏଭଳି ଏକ ଦୃଶ୍ୟ ସିଏମସି ୪୮ନମ୍ବର ୱାର୍ଡ ଜଗତପୁର ଅନ୍ତର୍ଗତ ବୈକୁଣ୍ଠ ବିହାର କେନାଲ ବନ୍ଧ ମୁଖ୍ୟରାସ୍ତା ପାଶ୍ୱର୍ରେ ଦେଖିବାକୁ ମିଳିଛି । ଯାହା ଏବେ ବିଦ୍ୟୁତ ବିଭାଗର ପରିଚାଳନା ଦାୟିତ୍ୱରେ ରହିଥିବା ଘରୋଇ ସଂସ୍ଥା ଟିପିସିଓଡିଏଲ (ଟାଟା ପାୱାର)ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବୈକୁଣ୍ଠ ବିହାର ରାସ୍ତାଦେଇ ବହୁ ସମୟରେ ଲକ୍ଷ୍ମଣପୁର, ପୁରୁଣା ଜଗତପୁର ଓ ନାନକାର ଅଞ୍ଚଳର ଲୋକେ ଏହି ରାସ୍ତା ଉପରେ ଯାତୟାତ ପାଇଁ ନିର୍ଭର କରିଥାନ୍ତି । କିନ୍ତୁ ବିନା ସୁରକ୍ଷାରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ଟ୍ରାନ୍ସଫର୍ମର ଚତୁଃପାଶ୍ୱର୍ରେ କଂକ୍ରିଟ ପିଲରରେ ବାରବେଡ୍ ଓୟାର ଦ୍ୱାରା ନାମକୁ ମାତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ହେଲେ ଏହି ସୁରକ୍ଷା ବ୍ୟବସ୍ଥା ଏତେ ଢିଲା ଥିଲାଯେ, ଯାହା ପରବର୍ତ୍ତୀ ସମୟରେ ଭାଙ୍ଗିରୁଜି ଯାଇଥିଲା । ଏବେ ଟ୍ରାନ୍ସଫର୍ମର ଚାରିପାଖ ଗଛଲତା ମାଡି ଯିବାରୁ ବହୁ ଗୋରୁଗାଇ,ମେଣ୍ଢା, ଛେଳି ଖାଦ୍ୟ ଅନ୍ୱେଷଣରେ ଆସି ବିଦ୍ୟୁତ ଆଘାତରେ ମୃତାହତ ହୋଇଥିବା ଦେଖିବାକୁ ମିଳିଛି । କୌଣସି ସ୍ଥାନରେ ଯଦି ମୁକୁଳା ଟ୍ରାନ୍ସଫର୍ମର ରହିଥାଏ, ବିଦ୍ୟୁତ ବିଭାଗର ଘରୋଇ ସଂସ୍ଥା ଏଥିପ୍ରତି ଯେଉଁ ତତ୍ପରତା ଦେଖାଇବା କଥା: ମାତ୍ର କିନ୍ତୁ ବୈକୁଣ୍ଠ ବିହାରରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଆକର୍ଷଣ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦୃଢ ଦାବି କରାଯାଇଛି ।