ବେଆଇନ ଭାବେ ହାତୀ ଦାନ୍ତ ପାଖରେ ରଖି ରେଞ୍ଜର୍ ନିଲମ୍ବିତ
କଟକ(ଏନ୍.ଏମ୍.): ମୃତ ହାତୀର ଦାନ୍ତ ରଖିବା ଅଭିଯୋଗରେ ରେଞ୍ଜରକୁ ନିଲମ୍ବନ ହେବାକୁ ପଡ଼ିଛି । ଏଭଳି ଘଟଣା କଟକ ଜିଲ୍ଲା ଆଗଠଡ଼ ବନବିଭାଗରେ ଦେଖିବାକୁ ମିଳିଛି । ଦୀର୍ଘ ୧୪ ମାସ ତଳର ହାତୀ ମୃତ୍ୟୁ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ବନବିଭାଗ ପକ୍ଷରୁ ଦନ୍ତାହାତୀକୁ ପୋତି ଦିଆଯାଇଥିବାବେଳେ ତାର ଦାନ୍ତକୁ କିନ୍ତୁ ରେଞ୍ଜର ନିଜ ପାଖରେ ରଖି ଦେଇଥିଲେ । ନିୟମ ଅନୁସାରେ ମୃତ ହାତୀର ଦାନ୍ତକୁ ସରକାରୀ ଟ୍ରେଜେରୀରେ ରଖା ଯିବା କଥା । କିନ୍ତୁ ୧୪ ମାସ ତଳର ଏଭଳି ବେଆଇନ କାମ ପାଇଁ ଆଠଗଡ ସଦର ରେଞ୍ଜର ଆୟେଶା ଅଖତରୀ ନିଶାଙ୍କୁ ନିଲମ୍ବିତ କରାଯାଇଛି । ନଭେମ୍ବର ଏକ ତାରିଖ ଦିନ ଆରସିସିଏଫ୍ ଅକ୍ଷୟ ପଟ୍ଟନାୟକ ଘଟଣାର ତଦନ୍ତ କରିଥିବା ବେଳେ ତାଙ୍କ ରିପୋର୍ଟ ଆଧାରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜି ରେଞ୍ଜରଙ୍କୁ ନିଲମ୍ବିତ କରାଯାଇଛି । ସୂଚନା ଅନୁଯାୟୀ ଆଠଗଡ଼ ସଦର ଫରେଷ୍ଟ୍ ରେଞ୍ଜ ଅନ୍ତର୍ଗତ ସୁବାସୀ ସଂରକ୍ଷିତ ଜଙ୍ଗଲ ନିକଟ ସିମେଣ୍ଟ କମ୍ପାନି ପାଖରେ ଏକ ୧୦ ବର୍ଷ ବୟସର ଦନ୍ତାହାତୀକୁ ଗତବର୍ଷ ଅଗଷ୍ଟ ୨୭ ତାରିଖରେ ଗୁଳି କରି ମାରି ଦିଆଯାଇଥିଲା । ସଦର ଫରେଷ୍ଟ ରେଞ୍ଜ ଅଫିସର ଆୟେଶା ଅଖତରୀ ନିଶା ଘଟଣାସ୍ଥଳରେ ପହଞ୍ଚି ରାତିଅଧରେ ହାତୀକୁ ପୋତି ଦେବା ସହ ଦାନ୍ତକୁ ନେଇ ଯାଇଥିଲେ । ଯଦି ଶିକାରୀ ହାତୀ ମାରିଥିଲା ତେବେ ବନବିଭାଗ ଘଟଣାକୁ କାହିଁକି ଲୁଚାଇ ଥିଲା? ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ପରେ ରେଞ୍ଜର ଡିଏଫ୍ଓଙ୍କୁ ହାତୀଦାନ୍ତ ଫେରସ୍ତ କରିଥିଲେ । କିନ୍ତୁ ଏଭଳି ବେଆଇନ କାର୍ଯ୍ୟ ପାଇଁ ରେଞ୍ଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଆରସିଏଫ୍ ସୂଚନା ଦେଇଛନ୍ତି ।