ବେଆଇନ ନିଶା ଓ ବନ୍ୟଜନ୍ତ୍ୟୁ ଅବଶେଷ କାରବାରର ପର୍ଦ୍ଦାଫାସ କଲା ଏସଟିଏଫ
ଭୁବନେଶ୍ୱର(ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ ବେଆଇନ ଔଷଧ କାରବାର ବଢ଼ିବାରେ ଲାଗିଛି । ନକଲି ଔଷଧ ସାଙ୍ଗକୁ ବିଭିନ୍ନ ନିଶା କାରବାର ମଧ୍ୟ ବୃଦ୍ଧି ପାଉଥିବାବେଳେ ଏହାକୁ ଦମନ କରିବା ନିମନ୍ତେ ଏସଟିଏଫ ଟିମ ସଜାଗ ହୋଇ ଉଠିଛି । ସୂଚନା ଅନୁଯାୟୀ, ସ୍ୱତନ୍ତ୍ର ଖବର ପାଇ ଏସଟିଏଫ ପକ୍ଷରୁ ୧୫୭ନମ୍ବର ଜାତୀୟ ରାଜପଥ ଚାରିଛକ-ଫୁଲବାଣୀ ରାସ୍ତାର ବୌଦ୍ଦ ଜିଲ୍ଲା ପୁଲିସ ସହାୟତାରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ପୁରୁଣା କଟକ ଝାଡ଼ରାଜିଙ୍ଗ ଅଞ୍ଚଳର ସନାତନ ପ୍ରଧାନ ଠାରୁ ୨କିଲୋ ୮୮୦ଗ୍ରାମ ଅଫିମ, ୩କେଜି ୮୧୦ଗଞ୍ଜେଇ ପାଉଡ଼ର, ୬୦ ପ୍ୟାକେଟ ଗଞ୍ଜେଇ ସିଗାରେଟ ସହ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ଏଥି ସହିତ ଅଧିକ ଖୋଳତାଡ଼ କରିବା ସମୟରେ ଅଭିଯୁକ୍ତ ଶ୍ରୀ ପ୍ରଧାନଙ୍କ ଘରୁ ଏକ ହରିଣ ଚମଡ଼ା, ଗୋଟିଏ କଇଁଛ କଙ୍କାଳ, ଗୋଟିଏ ବାରହା ଦାନ୍ତ ଭଳି ସାମଗ୍ରୀ ବାହାରିଥିଲା । ତେବେ ଏସବୁ ରଖିବା ବେଆଇନ ହୋଇଥିବାରୁ ତାଙ୍କ ନାମରେ ଏସଟିଏଫ ପକ୍ଷରୁ ବିଭିନ୍ନ ଦଫାରେ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲଣ କରାଯାଇଛି ।