ବେଆଇନ ଜୁଆ ଆଡାରେ ଚଢ଼ାଉ: ନଗଦ ୮ଲକ୍ଷ ୪ହଜାର ୮ଶହ ଟଙ୍କା ଜବତ ସହ ୩୦ଜଣ ଗିରଫ

ଜଗତପୁର(ଏନ୍.ଏମ୍.): କମିଶନରେଟ ପୁଲିସ ଓ ସ୍ପେସାଲ ସ୍କ୍ୱାଡ ମିଳିତ ଭାବେ ବେଆଇନ ଜୁଆ ଆଡା ଉପରେ ଚଢାଉ କରି ଜୁଆରେ ସଂପୃକ୍ତ ୩୦ଜଣଙ୍କୁ ଜଗତପୁର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବୋଲି ଜଣା ପଡିଛି । ସୁଚନା ଅନୁଯାୟୀ, କଟକ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଗତ କାଲି ସ୍ପେଶାଲ ସ୍କ୍ୱାର୍ଡ ଓ ଜଗତପୁର ଥାନା ଅଧିକାରୀ ରବିନ୍ଦ୍ର ନାଥ ମେହେରଙ୍କ ତତ୍ତ୍ୱାବଧାନରେ ଏକ ଟିମ ପ୍ରସ୍ତୁତ କରାଯାଇ ଜଗତପୁରସ୍ଥିତ ଶିକାରୀପୁର ପାଗା ସାହିରେ ଏକ କୋଠା ଘରେ ଚାଲିଥିବା ବେଆଇନ ଜୁଆ ଆଡା ଉପରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଜୁଆ ଖେଳର ମାଷ୍ଟର ମାଇଣ୍ଡ ଓ. କ୍ରିଷ୍ଣା ରାଓ(୪୪)ଙ୍କ ସମେତ ଉକ୍ତ ଆଡ୍ଡାରୁ ଜୁଆରେ ସଂପୃକ୍ତ ୩୦ଜଣଙ୍କୁ ଗିରଫ କରିଛି । ଏଥିସହ ପୁଲିସ ଜୁଆରେ ବ୍ୟବହୃତ ୧୬ ପକେଟ୍ ତାସ୍ ପତି, ଏକ ପ୍ଲାଷ୍ଟିକ ଜାରରେ ଥିବା ଖେଳରେ ବ୍ୟବହୃତ ଟୋକନ୍ ୩୧ଟି ମୋବାଇଲ ଫୋନ, ୪ଟି ବାଇକ ଓ ନଗଦ ୮ଲକ୍ଷ ୪ହଜାର ୮ଶହ ଟଙ୍କା ଜବତ କରିଛି । ଜୁଆ ଖେଳର ମାଷ୍ଟର ମାଇଣ୍ଡ ଓ.କ୍ରିଷ୍ଣା ରାଓ ଜଣେ ପେସାଦାର ଜୁଆ ଖେଳାଳି । ପୁର୍ବରୁ ଓ.କ୍ରିଷ୍ଣା ରାଓ ଅନେକ ଥର ଗିରଫ ହୋଇ ଜେଲ୍ ଯାଇଥିବା କଟକ ଜୋନ୍ ୧ଏସିପି ଅରୁଣ କୁମାର ସ୍ୱାଇଁ ପ୍ରେସ ମିଟିଙ୍ଗରେ ସୂଚନା ଦେଇଛନ୍ତି ।