ବୃଦ୍ଧଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ
#କେନ୍ଦ୍ରାପଡ଼ା(ଏନ୍.ଏମ୍.): ଡେରାବିଶ ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମର ବୈଷ୍ଣବ ମୁଦୁଲି(୬୨)ଙ୍କ ମୃତଦେହ ଆଜି ସନ୍ଧ୍ୟାରେ ଏକ ପୋଖରୀରୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲକ୍ଷ୍ମୀନାରାୟଣପୁର ଛକଠୁ ମାତ୍ର ୧୦୦ ମିଟର ଦୂରରେ ଓ ପଡ଼ିଆ ମଝିରେ ରହିଥିବା ଏହି ଛୋଟ ପୋଖରୀକୁ ନତ୍ୟକର୍ମ ଶେଷ କରିବାକୁ ଯାଇଥିବା ଜନୈକ ବ୍ୟକ୍ତି ବୈଷ୍ଣବଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ସୂଚନା ଅନୁଯାୟୀ ଗତ ୧୯ତାରିଖରେ ବୈଷ୍ଣବଙ୍କ ପତ୍ନୀ ସଂଯୁକ୍ତା ମୁଦୁଲି ଲକ୍ଷ୍ମୀନାରାୟଣପୁର ବଜାରରେ ଥିବା ଜଣେ ହୋମିଓପାଥି ଔଷଧ ବ୍ୟବସାୟୀଙ୍କ ବିରୋଧରେ ଏତଲା ଦେଇଥିଲେ । ବୈଷ୍ଣବ ନିଶାଦ୍ରବ୍ୟ ବ୍ୟବହାର କରୁଥିବାରୁ ସଂଯୁକ୍ତା ଉକ୍ତ ବ୍ୟବସାୟୀଙ୍କୁ ପଚରାଉଚରା କରିଥିଲେ । ମାତ୍ର ସମ୍ପୃକ୍ତ ବ୍ୟବସାୟୀ ତାଙ୍କୁ ମାଡ଼ ମାରିବା ଥିଲେ ବୋଲି ସଂଯୁକ୍ତା ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ । ତେବେ ଗତ ୨୩ତାରିଖ ସଂନ୍ଧ୍ୟାରେ ବୈଷ୍ଣବ ବଜାରକୁ ଆସି ଆଉ ଘରକୁ ଫେରି ନଥିଲେ । ଏ ନେଇ ସଂଯୁକ୍ତା ଆଉ ଏକ ଅଭିଯୋଗ ଡେରାବିଶ ଥାନାରେ କରିଥିବାବେଳେ ଆଜି ସଂଧ୍ୟାରେ ଅଳ୍ପ ପାଣିଥିବା ଉକ୍ତ ପୋଖରୀରୁ ବୈଷ୍ଣବଙ୍କ ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା । ତେବେ ବୈଷ୍ଣବଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିବାବେଳେ ଘଟଣା ସମ୍ପର୍କରେ ପୁଲିସ କୌଣସି ସୂଚନା ଦେଇ ନାହିଁ ।