ବିଷ ଖାଇଥିବା ପାତ୍ରପୁର ଜିପିଓଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
#ବ୍ରହ୍ମପୁର(ଏନ୍.ଏମ୍.): ବିଷ ପାନ କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜିପିଓ ପ୍ରମୋଦ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଛି । ସେ ଦୀର୍ଘ ୧୨ ଦିନ ଧରି ଚିକିତ୍ସିତ ହେବା ପରେ ଆଖି ବୁଜିଛନ୍ତି ।
ସୂଚନା ଅନୁଯାୟୀ, ଜାନୁଆରୀ ୩୦ତାରିଖରେ ପ୍ରମୋଦଙ୍କୁ ଭଞ୍ଜନଗରରୁ ପାତ୍ରପୁର ବ୍ଲକକୁ ବଦଳି କରାଯାଇଥିଲା । ଭଞ୍ଜନଗର ବିଡିଓ ସଙ୍ଗେ ସଙ୍ଗେ ତାଙ୍କୁ ରିଲିଫ୍ କରି ଦେଇଥିଲେ । ଫେବ୍ରୁଆରୀ ୧ତାରିଖରେ ପ୍ରମୋଦ ଭଞ୍ଜନଗର ବ୍ଲକ୍ କାର୍ଯ୍ୟାଳୟକୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ଆସିଥିବା ବେଳେ ବିଷ ପିଇ ଦେଇଥିଲେ । ବ୍ଲକ କର୍ମଚାରୀମାନେ ପ୍ରମୋଦଙ୍କୁ ଭଞ୍ଜନଗର ଡାକ୍ତରଖାନା ନେଇ ଯାଇଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ଅବସ୍ଥାରେ ବିଶେଷ କିଛି ଉନ୍ନତି ଆସି ନଥିଲା ଓ ଶେଷରେ ତାଙ୍କର ମୃତ୍ୟୁ ହୋଇଗଲା । ତେବେ ପ୍ରମୋଦ କାହିଁକି ବିଷ ଖାଇଲେ, ତା’ର ପ୍ରକୃତ କାରଣ ଏଯାଏ ଜଣାପଡ଼ିନି । ତେବେ କୁହାଯାଉଛି, ବଦଳିକୁ ନେଇ ସେ ଖୁବ୍ ଅସନ୍ତୁଷ୍ଟ ଥିଲେ । ତାଙ୍କର ଆଉ ୪ ମାସ ଚାକିରି ଥିଲା । ସେ ସୋରଡ଼ାରୁ ପ୍ରତିଦିନ ଭଞ୍ଜନଗର ଯା’ଆସ କରୁଥିଲେ । ତେବେ ହଠାତ୍ ପାତ୍ରପୁର ବଦଳି ହୋଇଯିବାରୁ ସେ ଏହାକୁ ଗ୍ରହଣ କରିପାରି ନଥିଲେ । ସେଥିପାଇଁ ସେ ବିଷ ପିଇ ଦେଇଥିଲେ ବୋଲି କୁହାଯାଉଛି । ଭଞ୍ଜନଗର ପୁଲିସ୍ ଘଟଣାର ତଦନ୍ତ କରୁଛି ।