ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧକଳା ଓ ଚିତ୍ରକଳାର ଯୁଗଳବନ୍ଦୀ
ଉନ୍ମୋଚିତ ହେଲା ମୁକ୍ତାକାଶ ଆର୍ଟ ଗ୍ୟାଲେରୀ
ଭୁବନେଶ୍ୱର(ଏନ୍.ଏମ୍.): ସମ୍ବଲପୁର ଜିଲ୍ଲାର ଧନକଉଡା ବ୍ଲକ କର୍ଡୋଲା ଗାଁରେ ୪ ଦିନ ଧରି ଓଡ଼ିଶା ଲଳିତ କଳା ଏକାଡେମୀ ଓ ସମ୍ବଲପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଅନୁଷ୍ଠିତ ପାରମ୍ପରିକ ସମ୍ବଲପୁରୀ ବସ୍ତ୍ରର ରୂପାଙ୍କନ ଆଧାରିତ ଚିତ୍ରକଳା ଶିବିର ଉଦଯାପିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡ଼ିଶାର ପଶ୍ଚିମାଞ୍ଚଳ ଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିବା ସହ ସମ୍ବଲପୁରୀ ବସ୍ତ୍ରର ରୂପାଙ୍କନକୁ ବହୁଳ ଭାବେ ଆଦୃତ କରିବା ପାଇଁ ସମ୍ବଲପୁରଠାରେ ଏକ ଭିତ୍ତିଚିତ୍ର ଶିବିର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା । ଓଡ଼ିଶାର ପଶ୍ଚିମାଞ୍ଚଳ ବୁଣାକାର ଓ ଚିତ୍ରଶିଳ୍ପୀମାନଙ୍କର ଯୁଗଳବନ୍ଦୀ ଦ୍ୱାରା ସମ୍ବଲପୁରୀ ବସ୍ତ୍ର ରୂପାଙ୍କନ ବିଶ୍ୱଦରବାରରେ ପରିଚିତ କରିବାର ପ୍ରୟାସ ସହ ପଶ୍ଚିମାଞ୍ଚଳ ଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଅନ୍ତିମ ଦିବସରେ ଉକ୍ତ ୪୭ଟି ଭିତ୍ତିଚିତ୍ରକୁ ନେଇ ମୁକ୍ତାକାଶ ଆର୍ଟ ଗ୍ୟାଲେରୀର ଉନ୍ମୋଚନ ଓ ୪୨ ଜଣ ଶିଳ୍ପୀଙ୍କୁ ନେଇ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ ବେଶ୍ ଉପଭୋଗ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡରେ ମୁଖ୍ୟଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ତାଙ୍କ ଅଭିଭାଷଣରେ ଓଡ଼ିଶା ଲଳିତ କଳା ଏକାଡେମୀ ଓ ଜିଲ୍ଲା ପ୍ରଶାସନର ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶୁଭମ୍ ସକ୍ସେନା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ବଳଙ୍କ ସହ କର୍ଡୋଲା ବୁଣାକାର ସଂଘ ସଭାପତି ବଳରାମ ମେହେର, ଏକାଡେମୀର ସଚିବ ପଞ୍ଚାନନ ସାମଲ ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ସଚିବ ସାମଲଙ୍କ ତତ୍ତ୍ୱାବଧାନରେ ୪୨ଜଣ ଚିତ୍ରଶିଳ୍ପୀ ବାନ୍ଧ କଳା ଉପରେ ବୁଣାକାରଙ୍କ ଘର କାନ୍ଥରେ ଚିତ୍ର ଅଙ୍କନ କରିଥିଲେ । ୪ ହଜାର ବର୍ଗ ଫୁଟରେ ଅଙ୍କା ଯାଇଥିବା ଚିତ୍ର ଗୁଡିକୁ ଅଧିକାରୀମାନେ ବୁଲି ଦେଖିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ୪୨ ଜଣ ଚିତ୍ରଶିଳ୍ପୀଙ୍କୁ ଉପଢୌକନ ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଓଡ଼ିଶା ଲଳିତ କଳା ଏକାଡେମୀ ସଦସ୍ୟ ଶ୍ୟାମସୁନ୍ଦର ମେହେର, କଳା ଶିବିର ସଂଯୋଜକ ନୃସିଂହନାଥ ନାୟକ ଓ ଶଶଧର ପତି, କର୍ଡୋଲା ଗ୍ରାମବାସୀ ଓ ସମସ୍ତ ବୁଣାକାର ପରିବାର ପକ୍ଷରୁ ମଧ୍ୟ ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ପୂର୍ବରୁ ପୁରୀ ନିକଟସ୍ଥ ଐତିହ୍ୟ ଗ୍ରାମ ରଘୁରାଜପୁର ଠାରେ ଏକାଡେମୀ ତରଫରୁ ଅନୁରୂପ ଭିତ୍ତିଚିତ୍ର ଶିବିର ଆୟୋଜନ କରାଯାଇଥିଲା ।