ବିଶ୍ୱକପ ହକି ଆୟୋଜନରେ ନବରଙ୍ଗପୁର ଜିଲ୍ଲାକୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ
#ନବରଙ୍ଗପୁର(ଏନ୍.ଏମ୍.): ଓଡ଼ିଶାରେ ପୁରୁଷ ବିଶ୍ୱ କପ ହକି ୨୦୨୩ ଆୟୋଜନ କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ସ୍ୱତନ୍ତ୍ର ମାନ୍ୟତା ପାଇଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ପଞ୍ଚାୟତସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସହ ସ୍ୱତନ୍ତ୍ର ଗ୍ରାମ ସଭା ଆୟୋଜନ କରି ରାଜ୍ୟସ୍ତରରେ ତୃତୀୟ ସ୍ଥାନ ହାସଲ କରି ପାରିଛି । ବିଶ୍ୱକପ ହକି ନିମନ୍ତେ ନବରଙ୍ଗପୁର ଜିଲ୍ଲାର ଭୂମିକାକୁ ନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ଗୃହ,କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାର କାନ୍ତି ବେହେରା,ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍, ଜଳ ସମ୍ପଦ ବିଭାଗ ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ନବରଙ୍ଗପୁର ଜିଲ୍ଲାର ଏଭଳି କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିବାରୁ ଏବେ ଜିଲ୍ଲାବ୍ୟାପି ଖୁସିର ମାହୋଲ ଖେଳି ଯାଇଛି । ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିବା ଯୋଗୁଁ ଜିଲ୍ଲାରେ ଉତ୍ସାହର ଲହରି ଖେଳି ଯାଇଛି ।