ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗିବ କେବେ ? : ମହାନଦୀ ବ୍ୟାରେଜ ଏବେ ପାଲଟିଛି ଆକ୍ସିଡେଣ୍ଟ ଜୋନ

ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗିବ କେବେ ? : ମହାନଦୀ ବ୍ୟାରେଜ ଏବେ ପାଲଟିଛି ଆକ୍ସିଡେଣ୍ଟ ଜୋନ

ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗିବ କେବେ ?: ମହାନଦୀ ବ୍ୟାରେଜ ଏବେ ପାଲଟିଛି ଆକ୍ସିଡେଣ୍ଟ ଜୋନ

ଫଟୋ- କାହ୍ନୁଚରଣ ପଣ୍ଡା

କଟକ(ଏନ୍‌.ଏମ୍‌): ମହାନଦୀ ବ୍ୟାରେଜ ଏବେ ଆକ୍ସିଡେଣ୍ଟ ଜୋନ ପାଲଟିଛି । ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ତଥା ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହି ବ୍ୟାରେଜରାସ୍ତାରେ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ ହୋଇଛି । ଏହି ବ୍ୟାରେଜ ଉପରେ ଯାଇଥିବା ସେତୁ ରାସ୍ତାଟି ବିଭିନ୍ନ ସ୍ଥାନରେ ଗର୍ତ୍ତ ହୋଇଥିବାବେଳେ ଷ୍ଟ୍ରିଟଲାଇଟ ଅଚଳ ହୋଇପଡ଼ୁଥିବା ଯୋଗୁଁ ଅନ୍ଧକାରମୟ ହୋଇ ପଡ଼ୁଛି । ପୁନଶ୍ଚ ରାସ୍ତାଉପରେ ବାଲି ପଡ଼ିଥିବା ଯୋଗୁଁ ଚକା ଖସି ଦୁର୍ଘଟଣା ଘଟୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ରାଜ୍ୟସରକାର ଏସସିବି ମେଡ଼ିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ କୋଟି କେଟି ଟଙ୍କା ବ୍ୟୟ କରୁଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଗମନାଗମନର ସୁବିଧା ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି । ମାତ୍ର ଏହି ବ୍ୟାରେଜ ରାସ୍ତାର ମରାମତି ଅଭାବ ଯୋଗୁଁ ଲୋକେ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ଉଠୁଛି । ଏହି ବ୍ୟାରେଜର ଏକାଧିକ ସମସ୍ୟା ଯୋଗୁଁ ପଥଚାରୀ, ବାଇକ ଆରୋହୀ,କାର, ଅଟୋ ଓ ଆମ୍ବୁଲାନ୍ସ ଚାଳକ ଯିବା ଆସିବା କରିବା ବେଳେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା କୁହାଯାଉଛି । ଏହି ବ୍ୟାରେଜ ଉପରେ ଭାରୀଯାନ ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଥିଲେ ମଧ୍ୟ ଭାରିଯାନ ଯିବା ଫଳରେ ବ୍ୟାରେଜ ପୋଲର ଅବସ୍ଥା ଅଧିକ ଖରାପ ହେଉଥିବା ଆଲୋଚନା ହେଉଛି । ବିଶେଷ କରି ବ୍ୟାରେଜ ଛକରେ ଥିବା ଫାଣ୍ଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପରେ ଅମାନିଆଙ୍କ ଉପରେ ପୁଲିସର ପୂର୍ବଭଳି ନଜର ରହୁନାହିଁ । ଯାହାଦ୍ୱାରା ବ୍ୟାରେଜ ଆନିକଟ ଉପରେ ଭାରୀଯାନ ଚଳାଚଳ ବେଶ ବୃଦ୍ଧି ପାଇ ବ୍ୟାରେଜକୁ ନଷ୍ଟ କରୁଥିବା ଚର୍ଚ୍ଚା ହେଉଛି । ଏପରିକି ବ୍ୟାରେଜ ଉପରେ ରହିଥିବା ଗର୍ତ୍ତରେ ଆମ୍ବୁଲାନ୍ସ ଚକା ପଡିବା ଦ୍ୱାରା ରୋଗୀଙ୍କ ଜୀବନ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ବ୍ୟାରେଜ ଫୁଟପାଥର ଉଭୟ ପାଶ୍ୱର୍ରେ ବହୁ ମାତ୍ରାରେ ବାଲିଧୂଳି ଗଦା ହୋଇ ରହିବା ଅନ୍ୟ ଏକ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଏହି ବାଲିଧୂଳିରେ ଗାଡିର ଚକା ଖସିଯିବାରୁ ଭାରସାମ୍ୟ ହରାଇ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି । ବ୍ୟାରେଜ ଡିଭିଜନର ଅପାରଗତା ଯୋଗୁଁ ଗର୍ତ୍ତ ଗୁଡିକର ମରାମତି ଓ ବାଲି ସଫେଇ କରାନଯିବାରୁ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ଦିନକୁ ଦିନ ବଢି ଚାଲିଛି । ତେଣୁ ଏହି ସବୁ ସମସ୍ୟା ଉପରେ ବ୍ୟାରେଜ ଡିଭିଜନ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ