ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି: ଶୋଚନୀୟ ଅବସ୍ଥାରେ କେନ୍ଦ୍ରାପଡ଼ା କେନାଲ

କଟକ(ଏନ୍.ଏମ୍.): ଜନସାଧାରଣଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ସରକାର ଅନେକ ଯୋଜନା କରୁଛନ୍ତି । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ସରକାରଙ୍କ ଦ୍ୱାରା ବ୍ୟୟ ହେଉଥିବା ଅର୍ଥ ପାଣିରେ ପଡ଼ିବା ସାର ହେଉଛି । ଫଳରେ ସରକାରଙ୍କ ଅର୍ଥ ବରବାଦ ହେବା ସହ ଜନସାଧାରଣ ଏଥିରୁ ଉପକୃତ ହୋଇ ପାରୁନଥିବା ଚର୍ଚ୍ଚା ହେଉଛି । ଫଳରେ ସରକାର ଯେତେ ଜନହିତକର ଯୋଜନା ବା ପ୍ରକଳ୍ପ କରୁଥିଲେ ମଧ୍ୟ ବେଫିକର ଅଧିକାରୀଙ୍କ ଯୋଗୁଁ ସାଧାରଣରେ ନିନ୍ଦିତ ହେଉଛନ୍ତି । ଏଭଳି ଅବସ୍ଥା ଦେଖିବାକୁ ମିଳିଛି କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ । ଏହି ଅଞ୍ଚଳରୁ ବାହାରିଥିବା କେନ୍ଦ୍ରାପଡ଼ା କେନାଲ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଏ ନେଇ ତତ୍ପରତା ପ୍ରକାଶ ପାଉନଥିବା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ସାଧାରଣତଃ ଲୋକେ କୃଷି ତଥା ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ଦୈନଦିନ କେନାଲ ଗୁଡିକ ଉପରେ ନିର୍ଭର କରିଥାନ୍ତି । ତେଣୁ ରାଜ୍ୟସରକାର କେନାଲ ଗୁଡିକର ସ୍ଥାୟୀତ୍ୱକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଜରିଆରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି କ୍ରମରେ ଜଗତପୁରସ୍ଥିତ କେନ୍ଦ୍ରାପଡା କେନାଲର ପୁନରୁଦ୍ଧାର ପାଇଁ ଜିରୋ ପଏଣ୍ଟ ଠାରୁ ଖଇରା ପୋଲ ଯାଏଁ କେନାଲକୁ ୨୦୧୫ ମସିହାରେ ଶିଳାନ୍ୟାସ କରାଯାଇଥିଲା । ଏଥିପାଇଁ ପ୍ରାୟ ୧୫କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଥିଲା । ୨୦୧୬-୧୭ ଆର୍ଥିକ ବର୍ଷରେ କେନାଲର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଏହି କେନାଲଟି ପୁନରୁଦ୍ଧାର ହେବାର ପ୍ରାୟ ୫ ବର୍ଷ ପରେ ଏବେ ବିପର୍ଯ୍ୟସ୍ତ ଅବସ୍ଥା ହୋଇପଡିଛି । ତେବେ କେନାଲର ଉଭୟ ପାଶ୍ୱର୍ ସାଇଡ ୱାଲ ଓ ପାହାଚ ଗୁଡିକ ଭାଙ୍ଗିରୁଜି ପଡୁଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଏଥିପ୍ରତି କିଭଳି ଦୃଷ୍ଟି ପଡୁନାହିଁ, ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେନାଲର ପୁନରୁଦ୍ଧାର ସମୟରେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅର୍ଥ ଲାଳସାରେ ଏହି କାର୍ଯ୍ୟକୁ ଅତି ନିମ୍ନମାନର କରାଯାଇଥିବା ନେଇ ଅଞ୍ଚଳବାସୀ ଅଭିଯୋଗ ଉଠାଇଛନ୍ତି । ଏବେ ସାଇଡ ୱାଲ ଓ ପାହାଚ ଗୁଡିକ ଦୁର୍ବଳ ହୋଇପଡିବା ସହ ବିଭିନ୍ନ ସ୍ଥାନରେ ଭାଙ୍ଗିରୁଜି କେନାଲ ମଧ୍ୟକୁ ଖସି ପଡିବାରେ ଲାଗିଛି । ନିୟମ ଦୃଷ୍ଟିରୁ କେନାଲର ରକ୍ଷଣାବେକ୍ଷଣ ପାଇଁ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଦ୍ୱାରା ମରାମତି କରାଯିବା କଥା । କେନ୍ଦ୍ରାପଡା କେନାଲ କ୍ଷେତ୍ରରେ ସେଭଳି କୌଣସି ପଦକ୍ଷେପ ନିଆଯାଇନାହିଁ ।ଯାହା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ନର୍ଥ ଡିଭିଜନ କନିଷ୍ଠ ଯନ୍ତ୍ରୀ ଇଂ. ଅଶୋକ କୁମାର ସାହୁଙ୍କୁ ପଚାରିବାରେ, ଖୁବଶୀଘ୍ର ସେ କେନାଲର ଉଭୟ ପାଶ୍ୱର୍ ସାଇଡ ୱାଲ ଓ ପାହାଚ ଗୁଡିକୁ ତଦାରଖ କରିବେ । ପରେ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଦ୍ୱାରା ମରାମତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି । ବର୍ଷାଦିନ ପୂର୍ବରୁ ଏହି କେନାଲ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।