ବିବାହର ପ୍ରତିଶ୍ରୁତି ଦେଇ ସହମତିରେ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ
#କଟକ (ଏନ୍.ଏମ୍.): ବିବାହର ପ୍ରତିଶ୍ରୁତି ଦେଇ ଜଣେ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ସହମତିରେ ଶାରିରୀକ ସମ୍ପର୍କ ରଖିଲେ ଏହାକୁ ଦୁଷ୍କର୍ମ ବୋଲି ଧରାଯିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ରାୟ ଦେଇଛନ୍ତି । ନ୍ୟାୟମୂର୍ତ୍ତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଦୁଷ୍କର୍ମ ମାମଲାରେ ଜାମିନ ଆବେଦନର ଶୁଣାଣି କରି ଏହି ରାୟ ଦେଇଥିବା ଜଣାପଡ଼ିଛି । କୋର୍ଟ କହିଛନ୍ତି, ମହିଳା ମାନେ ସ୍ୱଇଚ୍ଛାରେ ସମ୍ପର୍କ ରଖିଥିବା କ୍ଷେତ୍ରରେ ଦୁଷ୍କର୍ମ ଆଇନର ବ୍ୟବହାର ହେବା ଅନୁଚିତ । ବିଶେଷ କରି ସାମାଜିକ ଅନଗ୍ରସର, ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ଓ ଗ୍ରାମାଞ୍ଚଳରୁ ଏଭଳି ଅଭିଯୋଗ ଅଧିକ ଆସୁଛି । ସେମାନଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ପୁରୁଷମାନେ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି । କିନ୍ତୁ ଦୁଷ୍କର୍ମ ସମ୍ପର୍କିତ ଆଇନ ଅଧିକାଂଶ କ୍ଷେତ୍ରରେ ପୀଡିତାଙ୍କ ଦୁର୍ଦ୍ଦଶାକୁ ଏଡ଼ାଇବାରେ ସଫଳ ହୋଇପାରୁ ନାହିଁ । ଆଇପିସିର ଧାରା ୩୭୫ ଅନୁସାରେ ପୀଡ଼ିତାଙ୍କ ସହିତ ଘଟିଥିବା ନିର୍ଦ୍ଦିଷ୍ଟ ଯୌନ ନିର୍ଯାତନାକୁ ଦୁଷ୍କର୍ମ ଅପରାଧ ପରିସର ଭୁକ୍ତ କରାଯାଇଛି । କିନ୍ତୁ ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ରଖିବା ଭଳି ଘଟଣା ଗୁଡ଼ିକ ଏହାର ଅନ୍ତର୍ଭୁକ୍ତ ନୁହେଁ । ଏହିଭଳି ଘଟଣାଗୁଡ଼ିକୁ ଦୁଷ୍କର୍ମ ଭାବେ ଗ୍ରହଣ କରିବା ଭୁଲ୍ ହେବ ବୋଲି ରାୟରେ ଦର୍ଶାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଜଣେ ବ୍ୟକ୍ତି ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । କିଛିଦିନ ପରେ ସେ ଯୁବତୀଙ୍କୁ ଛାଡ଼ି ପଳାଇବାରୁ ଏନେଇ ଯୁବତୀଙ୍କ ପକ୍ଷରୁ ପୁରୀ ଜିଲ୍ଲା ନିମାପଡା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ଏହି ଆବେଦନର ଶୁଣାଣି କଲାବେଳେ ହାଇକୋର୍ଟ ଦୁଷ୍କର୍ମକୁ ନେଇ ଏଭଳି ଏକ ରାୟ ଦେଇଛନ୍ତି । ଏହା ସହିତ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜାମିନରେ ଯିବା ପରେ ଅଭିଯୁକ୍ତ ତଦନ୍ତରେ ସହଯୋଗ କରିବେ ଓ ପୀଡିତାଙ୍କୁ ଧମକ ଦେବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତ ରଖିଛନ୍ତି ।