ବିଦେଶୀ ମଦ ବୋଝେଇ ପିକପ୍ ଭ୍ୟାନ୍ ଲୁଟ୍ ଘଟଣାରେ ୫ ଗିରଫ, ୧୨ଲକ୍ଷ ଟଙ୍କାର ମଦ ସହ ୩ ଗାଡି ଜବତ

ବିଦେଶୀ ମଦ ବୋଝେଇ ପିକପ୍ ଭ୍ୟାନ୍ ଲୁଟ୍ ଘଟଣାରେ ୫ ଗିରଫ, ୧୨ଲକ୍ଷ ଟଙ୍କାର ମଦ ସହ ୩ ଗାଡି ଜବତ

ବିଦେଶୀ ମଦ ବୋଝେଇ ପିକପ୍ ଭ୍ୟାନ୍ ଲୁଟ୍ ଘଟଣାରେ ୫ ଗିରଫ, ୧୨ଲକ୍ଷ ଟଙ୍କାର ମଦ ସହ ୩ ଗାଡି ଜବତ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ବିରୂପାନଦୀ ବନ୍ଧ ପାର୍ଶ୍ୱ ନୂଆସାହି ରାସ୍ତାରେ ଗତ ୨୭ ତାରିଖରେ ଏକ ବିଦେଶୀ ମଦ ବୋଝେଇ ପିକପ୍ ଭ୍ୟାନକୁ ଲୁଟ୍ କରି ନେଇଥିବା ଘଟଣାରେ ଜଗତପୁର ପୁଲିସ୍ ଆଜି ୫ ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ଟାଙ୍ଗୀ ଥାନା ନରେନ୍ଦ୍ରପୁର ଅଞ୍ଚଳର ପିକପ୍ ଭ୍ୟାନ ଡ୍ରାଇଭର ଗୋପନ ଓରଫ ମଙ୍ଗଲ ପିଙ୍ଗୁଆ (୨୩), ଜଗତପୁର ଥାନା ଅଣ୍ଡେଇ ସାହି ଅଞ୍ଚଳର ପଦିଆ ଓରଫ ପ୍ରଦୀପ କୁମାର ସେଠୀ(୨୧) ଓ ଚମ୍ପତି ଅଞ୍ଚଳର ବଣ୍ଟି ଓରଫ ଅରୁଣ ଭୋଇ(୧୮), ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ୱର ଦିକ୍ଷିତପଡା ଅଞ୍ଚଳର ଇଟା ଓରଫ ପ୍ରଫୁଲ୍ଲ କୁମାର ଦାସ(୩୨) ଏବଂ ଜଗତପୁର ଥାନା ନୂଆସାହି ଅଞ୍ଚଳରେ ରହୁଥିବା ନିଶ୍ଚିନ୍ତକୋଇଲି ଥାନା ବଡକ୍ଷିରୀ ଅଞ୍ଚଳର ବୁଟା ଓରଫ ନାରଣ ଦାସ(୨୦) ବୋଲି ଜଣାପଡ଼ିଛି । ଏମାନଙ୍କ ନିକଟରୁ ପୁଲିସ୍ ୧୫୭ କାର୍ଟୁନ୍ ବିଦେଶୀ ମଦ, ଲୁଟ୍ ହୋଇଥିବା ପିକପ୍ ଗାଡି, ଲୁଟରେ ବ୍ୟବହୃତ ୨ଟି ବାଇକ୍ ସହ ୩ଟି ମୋବାଇଲ ଫୋନ୍ ଜବତ କରିଛି । ଏଥିସହ ଅପହରଣ ହୋଇଥିବା ପିକପ୍ ଗାଡି ହେଲପର ଲକ୍ଷ୍ମୀଧର ପ୍ରଧାନଙ୍କୁ ପୁଲିସ୍ ଉଦ୍ଧାର କରିଛି । ଜବତ ବିଦେଶୀ ମଦର ଆନୁମାନିକ ମୂଲ୍ୟ ୧୨ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କଟକ ଜୋନ-୧ ଏସିପି ଶୁଭନାରାୟଣ ମୁଦୁଲି ଓ ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ସୂଚନା ଦେଇଛନ୍ତି ।
ଗତ ୨୭ ତାରିଖ ବିଳମ୍ବିତ ରାତ୍ରୀରେ ଏକ ମଦ ବୋଝେଇ ପିକପ୍ ଗାଡି (ଓଡି-୦୫-ଏଏଫ୍‌-୪୬୫୧) ନିର୍ଗୁଣ୍ଡିରୁ ବାହାରି ବିରୂପାନଦୀ ବନ୍ଧ ନୂଆସାହି ରାସ୍ତା ଦେଇ ନିଆଳି ଅଭିମୁଖେ ଯାଉଥିଲା । ସେହି ସମୟରେ ୬ ଜଣ ଦୁବୃର୍ତ୍ତ ପିକପ୍ ଭ୍ୟାନକୁ ଅଟକାଇ ଡ୍ରାଇଭରର ହାତ ଓ ଗୋଡକୁ ବାନ୍ଧି ନଦୀ ଶଯ୍ୟାରେ ଛାଡି ଦେଇଥିଲେ । ଏଥିସହ ପିକପ୍ ଗାଡି ସମେତ ଗାଡି ହେଲପରଙ୍କୁ ଅପହରଣ କରି ଚମ୍ପଟ ମାରିଥିଲେ । ଗାଡ଼ି ମାଲିକ ମନୋଜ ପ୍ରତାପ ଜଗତପୁର ଥାନାରେ ଏନେଇ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପୁଲିସ୍ ପ୍ରଥମେ ସନ୍ଦେହରେ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚରା କରିବା ବେଳେ ଘଟଣାର ରହସ୍ୟ ଜଣାପଡ଼ିଥିଲା । ଡ୍ରାଇଭର ଗୋପନ ହିଁ ଏହି ଲୁଟ୍ ଘଟଣାର ମାଷ୍ଟରମାଇଣ୍ଡ ବୋଲି ପୁଲିସ୍ ଜାଣିବାକୁ ପାଇଥିଲା । ଡ୍ରାଇଭରର ବୟାନ ଅନୁଯାୟୀ ପୁଲିସ୍ ଅନ୍ୟ ୪ଲୁଟେରାଙ୍କୁ ବିଭିନ୍ନ ସ୍ଥାନରେ ଚଢଉ କରି ଗିରଫ କରିବାରେ ସକ୍ଷମ ହୋଇଛି । ପିକପ୍ ଗାଡିକୁ ବାଲିଚନ୍ଦ୍ରପୁର ଥାନା ମାଣ୍ଡୁକା ଅଞ୍ଚଳରୁ ପୁଲିସ୍ ଜବତ କରିଥିଲା । ନିଶ୍ଚିନ୍ତକୋଇଲି ଥାନା ଦିକ୍ଷୀତପଡା ଅଞ୍ଚଳର ଅଭିଯୁକ୍ତ ପ୍ରଫୁଲ୍ଲ ସମସ୍ତ ଲୁଟ୍ ମଦ ଗୁଡିକୁ ଏକ ଶୁଖିଲା କୂଅରେ ଲୁଚାଇ ରଖିଥିଲା । ପୁଲିସ୍ ସେଠାରେ ଚଢଉ କରି ଲୁଟ୍ ବିଦେଶୀ ମଦକୁ ଜବତ କରିଛି । ଗିରଫ ୫ଜଣଙ୍କ ମଧ୍ୟରୁ ୨ଜଣ କୋଭିଡ ଆକ୍ରାନ୍ତ ଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ପଠାଯାଇଛି; ଅନ୍ୟମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ