ବିଟେକ୍ ଯୁବକଙ୍କ କଳା କାରନାମା; ଏଟିଏମରୁ ଲୁଟିନେଲେ ୩୪ ଲକ୍ଷ
ରାଉରକେଲା(ଏନ୍.ଏମ.): ଖୁବ କମ ସମୟରେ ଅଧିକ ଅର୍ଥ ପାଇବା ଆଶା ସମସ୍ତଙ୍କର ରହିଛି । ଏଥିପାଇଁ କିଏ ଦିନ ରାତି ପରିଶ୍ରମ କରୁଛିତ ଆଉ କିଏ ଅସାଧୁ ଉପାୟରେ ଟଙ୍କା ଅର୍ଜନ କରିବାର ତରିକା ଖୋଜିବାରେ ବ୍ୟସ୍ତ । ଏଭଳି ସମୟରେ ଜଣେ ବିଟେକ କରିଥିବା ଯୁବକ ବ୍ୟାଙ୍କକୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କା ଲୁଟୁଥିବା ଆଜି ଧରା ପଡ଼ିଛି । ହରିଶ୍ଚନ୍ଦ୍ର ଦାସ ନାମକ ଜଣେ ବିଟେକ୍ ଡିଗ୍ରୀ ଧାରୀ ଯୁବକ ଅଭିନବ ଉପାୟରେ ବ୍ୟାଙ୍କରୁ ଟଙ୍କା ଲୁଟୁଥିବା ଘଟଣାର ପର୍ଦ୍ଦାଫାସ ହୋଇଛି । କରୋନା ମହାମାରୀ ସମୟରେ ପ୍ରାୟ ବର୍ଷେ ମଧ୍ୟରେ ଏପରି ଅଭିନବ ଉପାୟରେ ୩୪ ଲକ୍ଷ ଟଙ୍କା ଲୁଟ କରି ସାରିଛନ୍ତି ଜଣେ ହାଇଟେକ ଲୁଟେରା । ଏ ସମ୍ପର୍କରେ କେହି କିଛି ଜାଣି ପାରୁ ନଥିବା ବେଳେ ଅଡିଟ ବେଳେ ସତ ପଦାକୁ ଆସିଛି । ବିଟେକି ଡିଗ୍ରୀଧାରୀ ଏହି ଲୁଟେରା ଏବେ ପୁଲିସ୍ କବଜାରେ ଥିବା ବେଳେ ଘଟଣାର ଖୋଳତାଡ଼ ଚାଲିଛି ।
ସୂଚନାନୁଯାୟୀ, ହରିଶ୍ଚ ରାଇଟର୍ସ ପ୍ରାଇଭେଟ ଲିମିଟେଡ଼ ନାମକ ଏକ କମ୍ପାନୀରେ ଚାକିରି କରିଥିଲେ । ଏହି କମ୍ପାନୀ ତରଫରୁ ହରିଶ୍ଚନ୍ଦ୍ର ରାଉରକେଲା ସେକ୍ଟର-୧୯ , ସେକ୍ଟର -୭ , ଛେଣ୍ଡ ଥାନା ଅଞ୍ଚଳର ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଏଚଡିଏଫସି ବ୍ୟାଙ୍କରେ ଟଙ୍କା ଡିପୋଜିଟ କରୁଥିଲେ । ମାତ୍ର ପ୍ରାୟ ବର୍ଷେ ହେବ ନିଜର ଓ ନିଜ ସହକର୍ମୀଙ୍କ ପାସୱାର୍ଡ ବ୍ୟବହାର କରି ସେ ବିଭିନ୍ନ ଏଟିଏମରୁ କିଛି କିଛି ଟଙ୍କା ଉଠାଇବାରେ ଲାଗି ପଡ଼ିଥିଲେ । ଏନେଇ କୌଣସି ବ୍ୟାଙ୍କ କର୍ତ୍ତୃପକ୍ଷ କିଛି ଟେର ପାଉ ନଥିଲେ । ହେଲେ କିଛି ଦିନ ହେବ ଅଡିଟ ସମୟରେ ଧରାପଡ଼ିଲା ହରିଶ୍ଚନ୍ଦ୍ରଙ୍କ କଳା କାରନାମା । ଏହି ୩ଟି ବ୍ୟାଙ୍କରୁ ପ୍ରାୟ ୩୪ ଲକ୍ଷ ଟଙ୍କା କମ୍ ଥିବା ଅଡିଟ ସମୟରେ ଜଣାପଡ଼ିଲା । ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ରାଉରକେଲା ସେକ୍ଟର-୧୯ , ସେକ୍ଟର -୭ , ଛେଣ୍ଡ ଥାନା ଏବଂ ରେଳବାଇ ଅଞ୍ଚଳର ଅନ୍ୟ ଏକ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୁଲିସ୍ ଘଟଣାର ଖୋଲତାଡ଼ ଆରମ୍ଭ କରି ହରିଶ୍ଚନ୍ଦ୍ରଙ୍କୁ ଗିରଫ କରିଛି । ଟଙ୍କା ଲୁଟ୍ ଘଟଣାକୁ ହରିଶ୍ଚନ୍ଦ୍ର ସ୍ୱୀକାର କରିଥିଲେ ବି ତାଙ୍କ ଆକାଉଣ୍ଟରୁ କିଛି ଟଙ୍କା ମିଳିପାରି ନାହିଁ । ସେ ସବୁ ଟଙ୍କା ଧାର, ଉଧାରୀ ତଥା ସୁଧ ଲଗାଇଥିବା ଜଣାଯାଇଛି । ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ରାଉରକେଲା ଏସପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି ।