ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ କର୍ମଶାଳା: ଗବେଷକମାନଙ୍କ ପାଇଁ ଅଧିକ ସୁଯୋଗର ସଂଯୋଗୀକରଣ
ଭୁବନେଶ୍ୱର(ଏନ୍.ଏମ୍.): ବିଜ୍ଞାନ ଓ କାରିଗରୀ ବିଭାଗ ତଥା କିଟ୍ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଭାରତୀୟ ବିଜ୍ଞାନ, କାରିଗରୀ ତଥା ଯାନ୍ତ୍ରିକ ସୁବିଧା ମ୍ୟାପିଂ (ଆଇଷ୍ଟେମ୍) ପୋର୍ଟାଲର ସଂଯୋଗୀକରଣ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ସଂଯୋଗୀକରଣ ଫଳରେ ରାଜ୍ୟର ବିଜ୍ଞାନୀ ତଥା ଗବେଷକମାନେ ରାଜ୍ୟ ଏବଂ ରାଜ୍ୟ ବାହାରେ ବିଭିନ୍ନ ବୈଜ୍ଞାନିକ ପ୍ରତିଷ୍ଠାନ ତଥା ଗବେଷଣା ସଂସ୍ଥାନଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ଗବେଷଣା, ତତ୍ସମ୍ପର୍କିତ ତଥ୍ୟ, ଉପାଦାନ ଏବଂ ଅନ୍ୟାନ୍ୟ ବିବରଣୀ ପାଇପାରିବେ । ଗବେଷକମାନଙ୍କ ପାଇଁ ବିଭିନ୍ନ ଭାବରେ ଏହି ପୋର୍ଟାଲ୍ରୁ ଆବଶ୍ୟକୀୟ ସୁବିଧାସୁଯୋଗ ଉପଲବ୍ଧ ହେବ ଓ ଅନ୍ୟ ଗବେଷକମାନଙ୍କ ସହିତ ସମ୍ପର୍କ ରକ୍ଷା କରାଯାଇପାରିବ । ଆଇଷ୍ଟେମ୍ ପୋର୍ଟାଲ୍ଟି ଭାରତ ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତାଙ୍କ ଦପ୍ତରର ସହାୟତାରେ ପରିଚାଳିତ । ଗବେଷଣା କ୍ଷେତ୍ରରେ ସମ୍ବଳ ଉପଲବ୍ଧିରେ ଗବେଷକମାନଙ୍କୁ ସଶକ୍ତ କରାଇବା ପାଇଁ ଏହି ପୋର୍ଟାଲ ଉଦ୍ଦିଷ୍ଟ । କିଟ୍ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକାରୀ ହେଉଥିବା ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟର (ବିସିକେଆଇିସି) ସହଯୋଗରେ ଉପରୋକ୍ତ କର୍ମଶାଳା ଆୟୋଜନ କରାଯାଇଥିବାବେଳେ ରାଜ୍ୟର ୨୫ଟି ପ୍ରତିଷ୍ଠାନର ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଥିଲେ । କର୍ମଶାଳାର ସଫଳତା ନିମନ୍ତେ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରତିନିଧିମାନଙ୍କୁ ଶୁଭକାମନା ଜଣାଇବା ସହିତ ଏପରି ପଦକ୍ଷେପ ରାଜ୍ୟର ଗବେଷକ ଏବଂ ବିଜ୍ଞାନୀମାନଙ୍କୁ ଅଧିକର ଉତ୍ସାହର ସହ କାର୍ଯ୍ୟ କରିବାକୁ ପ୍ରେରିତ କରିବ ବୋଲି ଉଲ୍ଲେଖ କରିଛନ୍ତି । କର୍ମଶାଳାରେ କିଟ୍ ବିଶ୍ୱବିଦ୍ୟାଳୟର ଗବେଷଣା ଓ ବିକାଶ ପ୍ରଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ସୁଆର ସ୍ୱାଗତ ଭାଷଣ ଦେଇଥିବାବେଳେ ବିଜ୍ଞାନ ଓ କାରିଗରୀ ବିଭାଗର ସଚିବ ମନୋଜ କୁମାର ମିଶ୍ର ଏପରି ପ୍ରୟାସର ସଫଳତା ନିମନ୍ତେ ସନ୍ତୋଷ ବ୍ୟକ୍ତ କରିବା ସହିତ ରାଜ୍ୟରେ ଅଧିକ ସଂଖ୍ୟକ ପ୍ରତିଷ୍ଠାନକୁ ଏହି ସୁବିଧା ଯୋଗାଇଦେବାରେ ବିଭାଗ ସହାୟତା କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କର୍ମଶାଳାରେ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ଜାତୀୟ ଆବାହକ ଡକ୍ଟର ସଂଜୀବ ଶ୍ରୀବାସ୍ତବ ଦୃଶ୍ୟଶ୍ରାବ୍ୟ ଉପସ୍ଥାପନା କରିଥିବାବେଳେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଡକ୍ଟର ଅଶୋକ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ ।