ବିଜେଡି ପକ୍ଷରୁ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ଦଳରୁ ବହିଷ୍କାର ହେଲେ ଦୁଇ ବିଧାୟକ
#ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ ବିଜେଡି ନିରବଚ୍ଛିନ୍ନ ଭାବେ ସ୍ଥାୟୀ ସରକାର ଚଳାଉଥିବାବେଳେ ଦଳର କିଛି ଛାମୁଆ ନେତା ତଥା ବିଧାୟକ ଦଳରେ ବିଶୃଙ୍ଖଳା ଆଚରଣ ନିମନ୍ତେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦଳର ବିଭିନ୍ନ ପଦପଦବୀରେ ଥାଇ ମଧ୍ୟ ଏହି ନେତା ଦଳବିରୋଧୀ କାର୍ଯ୍ୟକରିଥିବା ଅଭିଯୋଗରେ ସେମାନଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ବିଜେଡି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ନିଜ ଖବରକାଗଜର ସମ୍ପାଦକୀୟରେ ସମାଲୋଚନା କରିବା ବରିଷ୍ଠ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ତେବେ ସୌମ୍ୟଙ୍କ ବିରୁଦ୍ଧରେ ସମ୍ବାଦର ୩୦୦ରୁ ଊର୍ଦ୍ଧ୍ୱ ପୂର୍ବତନ କର୍ମଚାରୀମାନେ ସଂଗଠିତ ବ୍ୟାଙ୍କ ଋଣ ସ୍କାମର ଅଭିଯୋଗ ଆଣିଛନ୍ତି ଓ ତାଙ୍କ ବିରୁଦ୍ଧରେ ଅର୍ଥନୀତିକ ଅପରାଧ ଶାଖାରେ ମାମଲା ରୁଜୁ କରାଯାଇଛି ବୋଲି ନବୀନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପରି ଚାଷୀଙ୍କ ୩କୋଟି ଟଙ୍କାର କୃଷି ଋଣ ସବସିଡିକୁ ହଡ଼ପ କରିଥିବା ଅଭିଯୋଗ ଯୋଗୁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ମଧ୍ୟ ବିଜେଡିରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି । କେବଳ ସେତିକି ନୁହେଁ ବିଜେଡି ପୂର୍ବରୁ ନିଜର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରିଥିବାବେଳେ ପ୍ରଶାନ୍ତ ଜଗଦେବଙ୍କୁ ନିଲମ୍ବିତ କରିଛି ।
ଏ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସମ୍ବାଦ ଖବରକାଗଜର ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଅର୍ଥନୀତିକ ଅପରାଧ ଶାଖାରେ ସୌମ୍ୟଙ୍କ ବିରୁଦ୍ଧରେ ଆଇପିସିର ଧାରା ୫୦୬,୪୬୭,୪୬୮,୪୭୧,୪୨୦ ଓ ୧୨୦-ଖରେ ମାମଲା ରୁଜୁ ହୋଇଛି । ପରେ ସମ୍ବାଦର ବହୁ ପୁରୁଣା କର୍ମଚାରୀମାନେ ମଧ୍ୟ ସମାନ ଅଭିଯୋଗ ଅର୍ଥନୀତିକ ଅପରାଧ ଶାଖାରେ କରିଛନ୍ତି । ୩୦୦ରୁ ଅଧିକ ପୂର୍ବତନ କର୍ମଚାରୀଙ୍କ ନାଁରେ ଜାଲ ଦସ୍ତାବିଜ ମାଧ୍ୟମରେ କୋଟି କୋଟି ଟଙ୍କା ଋଣ ଆଣିବା ପାଇଁ ଏହା ଏକ ସଂଗଠିତ ବ୍ୟାଙ୍କ ଜାଲିଆତିର ଗୁରୁତର ମାମଲା ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ ୨୦୧୮ ମାର୍ଚ୍ଚ ମାସରେ ବିଜେଡିରେ ସାମିଲ ହୋଇଥିଲେ । ତାଙ୍କୁ ବିଜେଡି ପ୍ରଥମେ ରାଜ୍ୟସଭା ସାଂସଦ ଓ ପରେ ସେଠାରୁ ଫେରାଇ ଆଣି ଖଣ୍ଡପଡ଼ାରେ ଦଳୀୟ ବିଧାୟକ ପ୍ରାର୍ଥୀ କରିଥିଲା । ଏଥିରେ ସୌମ୍ୟ ବିଜୟୀ ହୋଇଥିଲେ । ତେବେ ଆଗକୁ ଦଳୀୟ ବିଶୃଙ୍ଖଳା ଆଚରଣ କରୁଥିବା ନେତାମାନଙ୍କ ବିରୋଧରେ ବିଜେଡି ଏହି ଭଳି କାର୍ଯ୍ୟାନୁଷ୍ଠାନ ନେବ ବୋଲି ବିଜେଡି କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି ।