ବିଚାର ବିଭାଗୀୟ ସଂଗ୍ରହାଳୟ, ଷ୍ଟାଫ୍ କ୍ୱାର୍ଟର ଭିତ୍ତିଭୂମିର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବିଚାର ବିଭାଗୀୟ ସଂଗ୍ରହାଳୟ, ଷ୍ଟାଫ୍ କ୍ୱାର୍ଟର ଭିତ୍ତିଭୂମିର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବିଚାର ବିଭାଗୀୟ ସଂଗ୍ରହାଳୟ, ଷ୍ଟାଫ୍ କ୍ୱାର୍ଟର ଭିତ୍ତିଭୂମିର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କଟକରେ ବିଚାର ବିଭାଗୀୟ ସଂଗ୍ରହାଳୟ ଓ ଷ୍ଟାଫ କ୍ୱାର୍ଟର ଭିତ୍ତିଭୂମିର ଶିଳାନ୍ୟାସ ସମାରୋହ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଗୋଟିଏ ସଂଗ୍ରହାଳୟରେ କେବଳ ଦେଶ ଐତିହ୍ୟର ଡକ୍ୟୁମେଣ୍ଟ ସ୍ଥାନ ପାଇନଥାଏ ସେଠାରେ ଗୋଟେ ଅନୁଷ୍ଠାନର ସ୍ମୃତି ଏଥିସହ ଜଡ଼ିତ ହୋଇ ରହିଥାଏ । ବିଚାର ବ୍ୟବସ୍ଥାରେ ଯେଉଁସବୁ ପୁରୁଣା ଦସ୍ତାବିଜ୍ ରହିଛି ସେସବୁ ଗୁପ୍ତଧନ ସଦୃଶ । ବିଚାର ବିଭାଗୀୟ ଇତିହାସକୁ ସଂରକ୍ଷଣ ପାଇଁ ଓଡ଼ିଶା ହାଇକୋର୍ଟ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ କାର୍ଯ୍ୟ ବୋଲି ମତବ୍ୟକ୍ତ କରିଛନ୍ତି । ସେଣ୍ଟର ଫର ଜୁଡିସିଆଲ ଆର୍କାଇଭ୍ ବିଲଡିଂ ଓ ହାଇକୋର୍ଟ କର୍ମଚାରୀମାନଙ୍କ ପାଇଁ କ୍ୱାର୍ଟସ ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନାୟକ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ, ବିଚାର ବ୍ୟବସ୍ଥାରେ ଏଭଳି ସଂଗ୍ରହାଳୟ ଖୋଲାଯିବା ଏକ ପ୍ରଶଂସନୀୟ ପଦକ୍ଷେପ । ଏଭଳି ପଦକ୍ଷେପ ଉଭୟ ଐତିହାସିକ ଏବଂ ଯୁବ ଆଇନଜୀବୀଙ୍କ ପାଇଁ ପ୍ରେରଣାଦାୟକ ହୋଇପାରିବ । ବିଭିନ୍ନ ଆଲୋଚନାଚକ୍ର ଜରିଆରେ ସାଧାରଣ ଲୋକେ ମଧ୍ୟ ଏ ସଂକ୍ରାନ୍ତରେ ଅନେକ ଜ୍ଞାନ ଆହରଣ କରିପାରିବେ । ଅନ୍ୟ ଏକାଡେମୀ ସହ ଆମ ବିଚାର ବିଭାଗୀୟ ଦସ୍ତାବିଜ୍‌କୁ ସେୟାର କରାଯିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଷ୍ଟାଫ୍ କ୍ୱାର୍ଟର ଭିିତ୍ତିଭୂମିର ଶିଳାନ୍ୟାସ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଅବସରରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍‌.ମୁରଲୀଧର କହିଲେ ଯେ,ଗୋଟେ ସମୟରେ ଦୁଇଟି ପ୍ରକଳ୍ପର ଭିିତ୍ତିଭୂମିର ଶିଳାନ୍ୟାସ ହେଉଥିଲାବେଳେ ଏହା ଓଡ଼ିଶା ହାଇକୋର୍ଟ ପାଇଁ ଏକ ଐତିହାସୀକ ମୁହୂର୍ତ୍ତ । ପୁରୁଣା ରେକର୍ଡ଼ ସଂରକ୍ଷଣର ଚିନ୍ତାଧାରା କିପରି ତାଙ୍କ ମଧ୍ୟରେ ଆସିଥିଲା ସେ ସଂକ୍ରାନ୍ତରେ ଜଷ୍ଟିସ୍ ମୂରଲୀଧର ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ଗଞ୍ଜାମ ଜିଲ୍ଲା କୋର୍ଟର ରେକର୍ଡ଼ ରୁମ୍ ପରିଦର୍ଶନ ବେଳେ ସେ ସେଠାରେ ୧୮୧୪ଟି ପୁରୁଣା ରେକର୍ଡ଼ ପାଇଥିଲେ । ଏହି ରେକର୍ଡ଼ ତାଙ୍କ ମନରେ ଏକ ସଂଗ୍ରହାଳୟ ଖୋଲିବା ପାଇଁ ପଥ ପରିସ୍କାର କରିଥିଲା । ଏଥିପାଇଁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ସହଯୋଗକୁ ମୁଖ୍ୟ ବିଚାରପତି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଭିନୀତ୍ ଶରଣ ଯୋଗଦେଇ ଷ୍ଟାଫ୍‌ମାନଙ୍କ ପାଇଁ କ ୍ୱାର୍ଟର ତିଆରି କରିବା ତାଙ୍କର ସେ ସମୟର ଏକ ସ୍ୱପ୍ନ ଥିଲା ବୋଲି କହିଥିଲେ । ବର୍ତ୍ତମାନର ମୁଖ୍ୟ ବିଚାରପତିଙ୍କ ପ୍ରଚେଷ୍ଟା ପାଇଁ ଏଭଳି ଏକ ସ୍ୱପ୍ନ ପୂରଣ ହେବାକୁ ଯାଉଥିବାରୁ ସେ ଏହାର ପ୍ରଶଂସା କରିଥିଲେ । ଓଡ଼ିଶା ବର୍ତ୍ତମାନ ଡିଜିଟାଇଜେସନ୍ ଏବଂ ଭର୍ଚୁଆଲ କୋର୍ଟରେ ସମଗ୍ର ଦେଶରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ତାହାର ମଧ୍ୟ ଜଷ୍ଟିସ୍ ଶରଣ ପ୍ରଶଂସା କରିଥିଲେ । ଆରଆରଡିସି କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ଦେବବ୍ରତ ଦାସ ଏହି ଅବସରରେ ସ୍ୱାଗତ ଭାଷଣ ଦେଇଥିଲାବେଳେ ଜଷ୍ଟିସ୍ ଏସ୍‌.କେ.ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ୍ ଶଶିକାନ୍ତ ମିଶ୍ର, ଜଷ୍ଟିସ୍ ବି.ପି. ଶତପଥୀ, ଜଷ୍ଟିସ୍ ଏସ୍‌.କେ. ମିଶ୍ର, ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା, ଡେପୁଟି ସଲିସେଟର ଜେନରାଲ ପ୍ରସନ୍ନ କୁମାର ପାଢୀ, ଡିଜିପି ସୁନୀଲ୍ ବଂଶଲ ଓ ହାଇକୋର୍ଟ ବାର୍ ଆସୋସିଏସନ୍‌ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି