ବାହୁଡ଼ା ଯାତ୍ରା: ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ରଥ
ପୁରୀ(ଏନ୍.ଏମ୍.): କରୋନା କଟକଣା ମଧ୍ୟରେ ଶେଷ ହୋଇଛି ପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ । ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ତିନି ରଥ ପହଞ୍ôଚ ସାରିଛି । ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ସେବାୟତମାନେ ଗୀତଗୋବିନ୍ଦ ଗାନ କରି ଶ୍ରୀଜୀଉଙ୍କ ପାଦ ପଦ୍ମରେ ନିଜକୁ ସମର୍ପଣ କରିଥିଲେ । ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ବାହୁଡ଼ିବା ପାଇଁ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ବାହୁଡ଼ା ପହଣ୍ଡି । ପ୍ରଥମେ ସୁଦର୍ଶନ, ପରେ ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଜଗତର ନାଥ ଜଗନ୍ନାଥ ହଲି ଦୋହଲି ନନ୍ଦିଘୋଷ ରଥକୁ ଆସିଥିଲେ । ରଥଉପରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ ହେବା ପରେ ବିଭିନ୍ନ ରିତିନୀତି ସମ୍ପନ୍ନ ହୋଇଥିଲା । ଏହାପରେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀ ନଅରରୁ ଆସି ଶରଧାବାଲିରେ ପହଁଞ୍ଚିଥିଲେ । ଆଉ ତା’ପରେ ଛେରାପହଁରା ଆରମ୍ଭ ହୋଇଥିଲା । ଏହି ଅବସରରେ ଚନ୍ଦନର ଛେରା ପକାଯିବା ପରେ ଗଜପତି ମହାରାତ ହାତରେ ସୁନା ପହଁରା ଧରି ରଥ ଚତୁଃପାଶ୍ୱର୍ ବୁଲି ଝାଡ଼ୁ କରିଥିଲେ । ଏହି କାର୍ଯ୍ୟ ସରିବା ପରେ ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଲା । ତା’ ପଛକୁ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ଘର୍ଘର ନାଦ କରି ଗଡ଼ିଥିଲା । ସେବାୟତମାନେ ବର୍ଷାରେ ଭିଜି ଭିଜି ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଟାଣି ନେଇଥିଲେ । ସିଂହଦ୍ୱାର ସମ୍ମୁଖରେ ତିନି ରଥ ପହଞ୍ଚିଲା ପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ସେବାୟତମାନଙ୍କ ସମବେତ ଗୀତ ଗୋବିନ୍ଦ ଗାନରେ ବଡ଼ଦାଣ୍ଡ ମୁଖରିତ ହୋଇପଡ଼ିଥିଲା । ଏହି ଅବସରରେ ଶ୍ରଦ୍ଧାଳୁମାନେ ବଡ଼ଦାଣ୍ଡକୁ ଯାଇ ପ୍ରତ୍ୟକ୍ଷ ଭାବେ ରଥରେ ଠାକୁରଙ୍କୁ ଦର୍ଶନ କରି ନପାରି ବୈଦୂତିକ ଗଣମାଧ୍ୟମରେ ବାହୁଡ଼ା ଯାତ୍ରା ଦେଖି ମଧ୍ୟ ଭାବରେ ଭିଜିଯାଇଥିବା ଦେଖିବାକୁ ମିଳିଥିଲା ।