ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ବାଲେଶ୍ୱରରେ ରୋଗୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ; ସ୍ଥିତି ଯାଞ୍ଚ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମମତା ବାନାର୍ଜୀ

ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ବାଲେଶ୍ୱରରେ ରୋଗୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ; ସ୍ଥିତି ଯାଞ୍ଚ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମମତା ବାନାର୍ଜୀ

ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ବାଲେଶ୍ୱରରେ ରୋଗୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ସ୍ଥିତି ଯାଞ୍ଚ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମମତା ବାନାର୍ଜୀ


#ବାଲେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣାର ସମ୍ମୁଖୀନ ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଟ୍ରେନଯାତ୍ରୀଙ୍କୁ ଭେଟିଛନ୍ତି । ଆହତ ବ୍ୟକ୍ତି ଓ ସେମାନଙ୍କର ସଂପର୍କୀୟଙ୍କ ସହିତ କଥା ହୋଇ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା କେମିତି ଦିଆଯାଉଛି ସେ ନେଇ ମୋଦୀ ସମୀକ୍ଷା କରିଛନ୍ତି । ଅଧିକାଂଶ ଚିକିତ୍ସାଧୀନ ଯାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ସେମାନେ କେଉଁଠାରୁ ଆସୁଥିଲେ, କୁଆଡେ ଯାଉଥିଲେ ଓ ଚିକିତ୍ସା କିପରି ଚାଲିଛି ଆଦି ପ୍ରଶ୍ନ ପଚାରିଥିଲେ । ଏହା ପୂବର୍ରୁ ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ଘଟଣାସ୍ଥଳ ‘ବାହାନଗା’ରେ ଟ୍ରାକ୍ ଓ ବଗି ନିକଟକୁ ଯାଇ ପରିଦର୍ଶନ କରିଥିଲେ । ପ୍ରାୟ ଅଧ ଘଣ୍ଟା ଧରି ଘଟଣାସ୍ଥଳରେ ରହି ସ୍ଥିତି ପରଖିଥିଲେ । ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ, ରେଳବାଇର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଦୁର୍ଘଟଣା, ଉଦ୍ଧାର ଓ ଚିକିତ୍ସା ନେଇ ସମୀକ୍ଷା କରିଥିଲେ । କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ସେନେଇ ପଚାରି ବୁଝିଥିଲେ । ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦୀ ଚାଲିଥିବା ରିଲିଫ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ସ୍ଥାନୀୟ କର୍ତ୍ତୃପକ୍ଷ, ବିପର୍ଯ୍ୟୟ ପ୍ରଶମନ ବାହିନୀର କର୍ମଚାରୀ ଏବଂ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଦୁଃଖଦ ଘଟଣାରେ ସମସ୍ତ ପ୍ରକାର ସହାୟତା ଲାଗି ସରକାର ଯୋଗାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଉକ୍ତ ସ୍ଥାନରୁ କ୍ୟାବିନେଟ ସଚିବ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ଆହତ ଏବଂ ସେମାନଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବାକୁ ସେ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଜିଲ୍ଲା କଲାଇକୁଣ୍ଡା ଏୟାରଫୋର୍ସ ଷ୍ଟେସନରୁ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସି ବାହାନଗାରେ ଅପରାହ୍ଣ ୩ଟା ୪୦ରେ ପହଞ୍ଚି ଥିଲେ । ସେଠାରୁ ସେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାୟୁସେନାର ଅଧିକାରୀଙ୍କ ସହିତ ଟ୍ରେନ୍ ଦୁର୍ଘଟଣାସ୍ଥଳକୁ ଯାଇଥିଲେ । ସେହିପରି ମୋଦୀଙ୍କ ଗସ୍ତ ସମୟରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧)ଟ୍ରେନ୍ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍ (୧୨୮୬୪) ଧକ୍କା ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁ ସମେତ ସାରା ଦେଶବାସୀ ସ୍ତବ୍ଧ ହୋଇଯାଇଛନ୍ତି । ଏହି ଟ୍ରେନ୍ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚି ଥିଲା ବେଳେ ଆହୁରି ୭୦୦ ଆହତଙ୍କର ଚିକିତ୍ସା ବାଲେଶ୍ୱର ଓ କଟକ ସମେତ ଅନ୍ୟ ଡାକ୍ତରଖାନାରେ ଜାରି ରହିଛି । ସେମାନଙ୍କର ମଧ୍ୟରୁ ଶତାଧିକ ଯାତ୍ରୀଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବ, ଏସଆରସିଙ୍କ ସମେତ ବହୁ ଉଚ୍ଚପଦାଧିକାରୀ ସ୍ଥିତି ସମୀକ୍ଷା କରିବା ସହ ଆହତ ଯାତ୍ରୀଙ୍କ ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଇଛନ୍ତି । ତେବେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସମସ୍ତ କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ