ବାସୁଦେବପୁର ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ଅଧିବେଶନରେ ନିର୍ବାଚିତ ପ୍ରତିନିଧିଙ୍କ ଅସନ୍ତୋଷ
#ଭଦ୍ରକ(ଏନ୍.ଏମ୍.): ସ୍ଥାନୀୟ ନୀଳମଣି ଟାଉନ ହଲ ପରିସରରେ ଭଦ୍ରକ ଜିଲ୍ଲା ବାସୁଦେବପୁର ପଞ୍ଚାୟତ ସମିତି ପକ୍ଷରୁ ଚତୁର୍ଥ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସକାଳ ୧୧ ରେ ଆରମ୍ଭ ହେବାକୁ ଥିବା ଅଧିବେଶନର କିଛି ସମୟ ବିଳମ୍ବ ହେବାରୁ ସ୍ଥାନୀୟ କିଛି ଜନ ପ୍ରତିନିଧି ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପରେ ଅଧିବେଶନ ଆରମ୍ଭ ହୋଇଥିଲା । ସ୍ଥାନୀୟ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ବିଡିଓ ସତ୍ୟଜିତ ରାଉତ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ । ପରେ କୃଷି, ସ୍ୱାସ୍ଥ୍ୟ, ଜଙ୍ଗଲ, ବିଦ୍ୟୁତ୍, ଶିକ୍ଷା, ଜଳ ଭଳି ସମସ୍ତ ବିଭାଗର କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା । ଏଥି ନେଇ ଆରମ୍ଭରୁ ବାସୁଦେବପୁର ବ୍ଲକର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ବିଭିନ୍ନ ଅଭିଯୋଗ କରିଥିଲେ । ରାଜ୍ୟସରକାର ଜନସାଧାରଣଙ୍କ ପାଇଁ ବହୁ ଜନକଲ୍ୟାଣ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ଏଠାରେ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହୋଇ ପାରୁନଥିବାବେଳେ ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏ ଦିଗରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେବାକୁ ପ୍ରତିନିଧିମାନେ ଦାବି କରିଥିଲେ । ଏଥି ସହିତ ପ୍ରତିନିଧିମାନଙ୍କ ସମସ୍ତ ପ୍ରକାର ପ୍ରଶ୍ନର ଉତ୍ତର ବିଭାଗୀୟ ଅଧିକାରୀମାନେ ପ୍ରଦାନ କରିଥିଲେ ।