ବାଲେଶ୍ୱର ବାହାନଗା ଟ୍ରେନ୍ ଟ୍ରାଜେଡି: ବଢ଼ୁଛି ମୃତ୍ୟୁ ସଂଖ୍ୟା, ରାଜ୍ୟବ୍ୟାପୀ ହାଇଆଲର୍ଟ
ବାଲେଶ୍ୱର (ଏନ୍.ଏମ୍.): ଭାରତର ଅନ୍ୟତମ ବଡ଼ ଟ୍ରେନ ଦୁର୍ଘଟଣା ବାଲେଶ୍ୱରର ବାହାନଗାରେ ଘଟିଛି । ଏହି ଦୁର୍ଘଟଣା ଯେତିକି ଭୟଙ୍କର ସେତିକି ହୃଦୟ ବିଦାରକ ହୋଇପଡ଼ିଛି । ପ୍ରାଥମିକ ତଦନ୍ତରୁ ସିଗ୍ନାଲ ଫେଲ ଯୋଗୁ ୩ଟି ଟ୍ରେନ କିଛି ମିନିଟ ମଧ୍ୟରେ ପରସ୍ପର ସହ ଧକ୍କା ହୋଇଥିବା କୁହାଯାଉଛି । ତଥାପି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ହଜାରେ ଲୋକ ଆହତ ହୋଇଛନ୍ତି । ଗତକାଲି କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧)ଟ୍ରେନ୍ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍ (୧୨୮୬୪) ଧକ୍କା ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଦୁର୍ଘଟଣାରେ ଦୁଇ ଯାତ୍ରୀବାହୀ ଟ୍ରେନ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଓ ଶାଲିମାନ ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଏବଂ ଗୋଟିଏ ମାଲବାହୀ ଟ୍ରେନ କ୍ଷତିଗ୍ରସ୍ତ ହୋଇଛି । ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଚେନ୍ନାଇ ଯାଉଥିଲା । ତେବେ ବାହାନଗା ବଜାର ଷ୍ଟେସନ ଅତିକ୍ରମ କରିବାର ୩୦୦ ମିଟର ପରେ ହଠାତ୍ ଏହା ଲାଇନଚ୍ୟୁତ ହୋଇ ଯାଇଥିଲା । ଲାଇନ ଚ୍ୟୁତ ହେବା ପରେ ପାଖ ଟ୍ରାକରେ ଥିବା ଗୋଟିଏ ମାଲବାହୀ ଟ୍ରେନରେ ପିଟି ହୋଇଥିଲା । ଫଳରେ ଏହାର ଏକଧିକ ବଗି ଛିନଛତ୍ର ହୋଇ ତୃତୀୟ ଟ୍ରାକରେ ଛିଟିକି ପଡ଼ିଥିଲା । ତୃତୀୟ ଟ୍ରାକରେ ବିପରୀତ ଦିଗରୁ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଦ୍ରୁତଗତିରେ ଆସୁଥିଲା । ତେବେ ଟ୍ରାକରେ ପଡ଼ିଥିବା କରମଣ୍ଡଳ ଏକ୍ସପ୍ରେସର ବଗିଗୁଡ଼ିକୁ ଏହା ଧକ୍କା ଦେଇ ଓଲଟି ପଡ଼ିଥିଲା । ଏହି ଭୟଙ୍କର ଦୁର୍ଘଟଣା ଗତ ଶୁକ୍ରବାର ସନ୍ଧ୍ୟା ୭ଟାରେ ଘଟିଥିଲା । ରେଳବାଇ ମୁଖପାତ୍ର ଅମିତାଭ ଶର୍ମାଙ୍କ କହିବା ଅନୁଯାୟୀ, ପ୍ରାୟ ସନ୍ଧ୍ୟା ୭ଟା ବେଳେ ବାଲେଶ୍ୱର ନିକଟରେ କରମଣ୍ଡଳ ଏକ୍ସପ୍ରେସର ୧୦ରୁ ୧୨ଟି ବଗି ଲାଇନଚ୍ୟୁତ ହୋଇଥିଲା । ଏହାପରେ ନିକଟବର୍ତ୍ତୀ ଟ୍ରାକରେ ବଗି ଗୁଡ଼ିକ ପଡ଼ି ଯାଇଥିଲା । ବଗି ଗୁଡ଼ିକ ଟ୍ରାକରେ ପଡ଼ିଥିବା ବେଳେ ଯଶବନ୍ତପୁର ହାୱାଡା ଏକ୍ସପ୍ରେସ ଏଗୁଡ଼ିକୁ ଧକ୍କା ଦେଇଥିଲା । ଫଳରେ ଏହି ଟ୍ରେନର ୩ରୁ ୪ଟି ବଗି ମଧ୍ୟ ଧାରଣାରୁ ବାହାରି ଯାଇଥିଲା । କରମଣ୍ଡଳର କିଛି ବଗି ମଧ୍ୟ ଲାଇନଚ୍ୟୁତ ହୋଇ ମାଲବାହୀ ଟ୍ରେନରେ ମଧ୍ୟ ପିଟି ହୋଇଥିଲା । ସ୍ଥାନୀୟ ଲୋକଙ୍କ କହିବା କଥା ସନ୍ଧ୍ୟା ୬.୫୦ରୁ ୭.୧୦ ମଧ୍ୟରେ ୩ଟି ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ତେବେ ସିଗ୍ନାଲ ଫେଲ ଯୋଗୁ ଏପରି ହୋଇଥିବା ଅଞ୍ଚଳବାସୀ ଚର୍ଚ୍ଚା କରୁଛନ୍ତି । ତେବେ ଏହା ଦେଶର ଏକ ବୃହତ ଦୁର୍ଘଟଣା ବୋଲି କୁହାଯାଉଛି । ଏହିଘଟଣା ଘଟିବାପରେ ଏବେ ବାଲେଶ୍ୱର ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସମସ୍ତ ହସପିଟାଲକୁ ପ୍ରସ୍ତୁତ ରଖାଯାଇଛି । କଟକ ବଡ଼ମେଡ଼ିକାଲ(ଏସସିବି) ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ଖବର ଲେଖାହେବା ପର୍ଯ୍ୟନ୍ତ ଏସସିବିରେ ୧୭୩ଜଣ ଗୁରୁତର ଆହତ ଯାତ୍ରୀମାନଙ୍କୁ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣ ଶିଶୁଙ୍କ ସମେତ ୩ଜଣଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଛି । ୨୩ଜଣ ଆହତଙ୍କୁ ଟ୍ରମା ବିଭାଗରେ ଚିକତ୍ସା କରାଯାଉଛି । ତେବେ କଟକ ବଡମେଡ଼ିକାଲରେ ଗତକାଲି ବିଳମ୍ବିତ ରାତିରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମେଡ଼ିକାଲରେ ଆହତଙ୍କୁ ଭେଟିବା ସହ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ । ସେହିଭଳି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ଜିଲ୍ଲାପାଳ, ସିଏମସି କମିଶନର, କଟକ ଡିସିପିଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହି ଆହତମାନଙ୍କ ଚିକିତ୍ସା ଓ ଶୃଙ୍ଖଳା ନିରୀକ୍ଷଣ କରୁଛନ୍ତି । ଏଥି ସହିତ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ଗିରିବାଳା ବେହେରା ପ୍ରମୁଖ ମେଡ଼ିକାଲରେ ଆହତଙ୍କ ଭଲମନ୍ଦ ବୁଝୁଥିବାବେଳେ ବିଜେପିର ସ୍ମୃତି ପଟ୍ଟନାୟକ ଓ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଅଛନ୍ତି । ସେହିଭଳି ବିଜେଡିର ମୁଖପାତ୍ର ଦୁର୍ଗାପ୍ରସାଦ ସାମନ୍ତରାୟ, ଓଡ଼ିଶା ମୋ ପରିବାର ସଂଯୋଜକ ଡକ୍ଟର ରଞ୍ଜନ କୁମାର ବିଶ୍ୱାଳ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ମଧ୍ୟ ଉପସ୍ଥିତ ଅଛନ୍ତି । ସେହିଭଳି କଟକର ବହୁ ସ୍ୱେଚ୍ଛାସେବୀ ସଂଗଠନ ବିଭିନ୍ନ ସହାୟତା ପ୍ରଦାନ ପାଇଁ ଅଣ୍ଟା ଭିଡିଛନ୍ତି ।