ବାରବାଟୀ ପ୍ୟାଲେସରେ ଖୋଲିବ ମିଲେଟ୍ କାଫେ, ବଡମ୍ବା, ନରସିଂହପୁର ଓ ତିଗିରିଆର ୧୫୦ ଏକର ଜମିରେ ମହିଳା କରିବେ ମାଣ୍ଡିଆ ଚାଷ

#କଟକ(ଏନ୍.ଏମ୍.): କଟକରେ ମିଲେଟ୍ ମିସନକୁ ବ୍ୟାପକ କରାଯିବ । କଟକରେ ହେବ ମାଣ୍ଡିଆ ଚାଷ । ବାରବାଟୀ ପ୍ୟାଲେସରେ ଚଳିତମାସ ଶେଷ ସୁଦ୍ଧା ଖୋଲାଯିବ ମିଲେଟ୍ କାଫେ । ଯେଉଁଠି ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ମହିଳାମାନେ ବିକ୍ରି କରିବେ । କେବଳ ସେତିକି ନୁହେଁ ସେଥିରେ ଅଧିକରୁ ଅଧିକ ମହିଳା କିପରି ମିଲେଟ୍ ମିସନ ଦ୍ୱାରା ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ ତାଲିମ୍ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । କଟକରେ ମାଣ୍ଡିଆ ଚାଷ ହେଉନଥିବା ବେଳେ ଏବେ ମଡେଲ ବ୍ଲକ ଭାବେ ଆଠଗଡ଼ ଉପଖଣ୍ଡର ବଡମ୍ବା, ନରସିଂହପୁର ଓ ତିଗିରିଆ ବ୍ଲକର ୧୫୦ ଏକର ଜମିରେ କରାଯିବ ମାଣ୍ଡିଆ ଚାଷ । ମହିଳାଙ୍କ ହାତରେ ରହିବ ମିଲେଟ୍ ମିସନ ଓ କଟକ ଜିଲ୍ଲାରେ ଆଗାମୀଦିନରେ ମାଣ୍ଡିଆ ଚାଷ ତଥା ମିଲେଟ୍ ମିସନକୁ ଅଧିକ ବ୍ୟାପକ କରାଯିବ ବୋଲି ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । ରାଜ୍ୟ କୃଷି ଭବନରେ ମିଲେଟ୍ ମିସନର ଯୁଗ୍ମ ନିର୍ଦ୍ଦେଶକ ଶୈଳେନ୍ଦ୍ର ମହାନ୍ତି, ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀ ଓ କଟକ ଜିଲ୍ଲାପାଳ ଡକ୍ଟର ଚୟନୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଏଭଳି କିଛି ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ ବଡମ୍ବା, ନରସିଂହପୁର ଓ ତିଗିରିଆ ପ୍ରତି ବ୍ଲକରେ ୫୦ ଏକର ଜମିରେ ମାଣ୍ଡିଆ ଚାଷ କରାଯିବ । ସେହି ଚାଷ ମହିଳା ଗୋଷ୍ଠୀର ସଦସ୍ୟାମାନେ କରିବେ । ଉତ୍ପାଦିତ ମାଣ୍ଡିଆକୁ ବିନିଯୋଗ କରି ବିଭିନ୍ନ ସାମଗ୍ରୀ କିପରି ପ୍ରସ୍ତୁତ କରାଯିବ ସେ ସମ୍ପର୍କରେ ସେମାନଙ୍କୁ ତାଲିମ ଦିଆଯିବ । ଆଗକୁ ଏହି ୩ଟି ବ୍ଲକ୍ରୁ କାର୍ଯ୍ୟକ୍ରମକୁ ଅଧିକ ବ୍ଲକକୁ ସମ୍ପ୍ରସାରିତ କରାଯିବାର ଯୋଜନା ରହିଛି । କଟକରେ ମିଲେଟ୍ କାଫେ ଚଳିତମାସ ଶେଷ ସୁଦ୍ଧା ଖୋଲାଯିବ । କାର୍ଯ୍ୟକ୍ରମରେ ଜିଲ୍ଲା ମିସନ ଶକ୍ତି ସଂଯୋଜିକା ସ୍ୱାଗତିକା ପରିଡାଙ୍କ ସମେତ ମିସନ ଶକ୍ତିର ଅଧିକାରୀମାନେ ଉପସ୍ଥିତ ଥିଲେ ।