ବାରବାଟୀ ଦୁର୍ଗ ପରିସରରେ ଖୋଲିଲା ମ୍ୟୁଜିୟମ ଅଫ୍ ଜଷ୍ଟିସ୍‌

ବାରବାଟୀ ଦୁର୍ଗ ପରିସରରେ ଖୋଲିଲା ମ୍ୟୁଜିୟମ ଅଫ୍ ଜଷ୍ଟିସ୍‌

ବାରବାଟୀ ଦୁର୍ଗ ପରିସରରେ ଖୋଲିଲା ମ୍ୟୁଜିୟମ ଅଫ୍ ଜଷ୍ଟିସ୍‌

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାରବାଟୀ କିଲ୍ଲା ଦୁର୍ଗ ପରିସରରେ ହାଇକୋର୍ଟର ମ୍ୟୁଜିୟମ ବା ମ୍ୟୁଜିୟମ୍ ଅଫ ଜଷ୍ଟିସ ଉଦ୍‌ଘାଟିତ ହୋଇଛି । ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଏହି ମ୍ୟୁଜିୟମକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌. ମୁରଲୀଧରଙ୍କ ସମେତ ହାଇକୋର୍ଟର ବିଚାରପତି ବୃନ୍ଦ, ପୁଲିସ ଡିଜି ଯୋଗ ଦେଇଥିଲେ । ହାଇକୋର୍ଟ ପ୍ରତିଷ୍ଠାର ୭୫ ବର୍ଷ ପାଳନ ଅବସରରେ ଉଦଘାଟିତ ଏହି ମ୍ୟୁଜିୟମରେ ୨୦୦ ବର୍ଷର ପୁରୁଣା କୋର୍ଟ ଅର୍ଡର, କାଗଜପତ୍ର, ପୁରୁଣା ଫଟୋ, କୋର୍ଟ ରୁମ, ମେସିନ୍ ଓ ଆସବାବପତ୍ର ସ୍ଥାନ ପାଇଛି । ଏହା ଆଗକୁ ଆଇନ ଛାତ୍ରଛାତ୍ରୀ, ଆଇନଜୀବୀ, ବିଚାରପତି ଓ ସାଧାରଣ ଲୋକଙ୍କ ପାଇଁ ଏକ ଶିକ୍ଷଣୀୟ ସ୍ଥାନ ହେବ ବୋଲି କୁହାଯାଇଛି ରାଜ୍ୟପାଳ କହିଛନ୍ତି । ସେ ପୁଣି କହିଛନ୍ତି ଯେ, ଏହି ମ୍ୟୁଜିୟମ ଦ୍ୱାରା ସାଧାରଣ ଲୋକ ଆଇନ ବିଷୟରେ ଜାଣିବାକୁ ପାଇବା ସହ ଆଇନଜ୍ଞଙ୍କ ପାଇଁ ବେଶ ଲାଭଦାୟକ ହେବ । ଏହି ମ୍ୟୁଜିୟମ ୧୦୦ ବର୍ଷର ପୁରୁଣା ଏକ ବଙ୍ଗଳାରେ ପ୍ରତିଷ୍ଠା ହୋଇଛି । ଏଥିରେ ୭ଟି ଗ୍ୟାଲେରୀ ରହିଥିବାବେଳେ ପ୍ରତ୍ୟେକ ଗ୍ୟାଲେରୀରେ ବହୁ ପୁରାତନ କୋର୍ଟ ସାମଗ୍ରୀ, ଫଟୋ, କୋର୍ଟ ଅର୍ଡର ଓ ପୁସ୍ତକ ସ୍ଥାନ ପାଇଥିବା ଦେଖିବାକୁ ମିଳିଛି । ମ୍ୟୁଜିୟମର ଗୋଟିଏ ଗ୍ୟାଲେରୀରେ ହାଇକୋର୍ଟର ଅବିକଳ ମଡେଲ ରହିଛି । ଦ୍ୱିତୀୟ ଗ୍ୟାଲେରୀରେ ପୁରୁଣା ଘଣ୍ଟା, ଟାଇପ୍ ରାଇଟର ମେସିନ, କାଲକୁଲେଟର, ଅର୍ଡଲି ବ୍ୟାଚ୍‌, ହାଇକୋର୍ଟ ଗାଉନ, କାଠ ସିଲ୍ ରହିଛି । ତୃତୀୟ ଗ୍ୟାଲେରୀରେ ମଙ୍କ କୋର୍ଟ ରୁମ ରହିଛି । ଯେଉଁଥିରେ ପୁରୁଣା ଓହଳ ପଙ୍ଖା ଲାଗିଛି । ଚତୁର୍ଥ ଗ୍ୟାଲେରୀରେ ୧୮୦୮ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୋର୍ଟ ଅର୍ଡର, ଖବର କାଗଜ ଲେଖା, ବିଭିନ୍ନ ଭାଷାରେ କୋର୍ଟଙ୍କ ନିର୍ଦ୍ଦେଶ ସ୍ଥାନ ପାଇଛି । ସେହିପରି ଅନ୍ୟ ଗ୍ୟାଲେରୀରେ ଆଇନ ପୁସ୍ତକ, ଆସବାବପତ୍ର ରହିଛି । ମ୍ୟୁଜିୟମ ପରିସରରେ ସୁନ୍ଦର ଲନ ଓ ସାଜସଜା କରାଯାଇଥିବା ବେଳେ ଆଜିଠୁ ସାଧାରଣ ଲୋକଙ୍କ ପାଇଁ ଏହା ଖୋଲା ରହିବ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି