ବାରବାଟୀରେ ମାଟିରେ ପୁଣି ଭାରତ-ଇଣ୍ଡିଜ୍ ଟି-୨୦ ମ୍ୟାଚ: ଫେବୃୟାରୀ ୧୫ରେ ସଂଗ୍ରାମ
କଟକ(ଏନ୍.ଏମ୍.) : ୨୦୨୧-୨୦୨୨ ଘରୋଇ କ୍ରିକେଟ୍ ପାଇଁ ବିସିସିଆଇ ଆନ୍ତର୍ଜାତିକ ଖେଳସୂଚୀ ପ୍ରସ୍ତୁତ କରିଛି । ୪ଟି ଦଳ- ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବେ । ଏହି ୪ଟି ଗସ୍ତ ପାଇଁ ବିସିସିଆଇ ଖେଳସୂଚୀ ପ୍ରସ୍ତୁତ କରିଛି । ପୂରା ଖେଳସୂଚୀ ସହ କେଉଁଦିନ କେଉଁ ମ୍ୟାଚ୍ କେଉଁ ସହରରେ ଖେଳାଯିବ; ବିସିସିଆଇ ତାହାର ନିଷ୍ପତ୍ତି ନେଇସାରିଛି । ତେବେ ବିସିସିଆଇ ଏହି ଖେଳସୂଚୀକୁ ଔପଚାରିକ ଭାବେ ଘୋଷଣା କରିନାହିଁ । ବିସିସିଆଇ ଖେଳସୂଚୀ ପ୍ରସ୍ତୁତକରି ୪ଟି ପ୍ରତିଯୋଗୀ ଦେଶ- ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡକୁ ଅନୁମୋଦନ ପାଇଁ ପଠାଇ ଦେଇଛି । ସମସ୍ତ ବୋର୍ଡ ଏହି ଖେଳସୂଚୀକୁ ଅନୁମୋଦନ କଲେ; ଏହାକୁ ବିଧିବଦ୍ଧ ଭାବେ ବିସିସିଆଇ ଘୋଷଣା କରିବ । ତେବେ ପ୍ରସ୍ତୁତ ହୋଇଥିବା ଖେଳସୂଚୀ ଅନୁସାରେ କଟକର ବାରବାଟୀ ଷ୍ଟାଡିୟମରେ ୨୦୨୨ ଫେବୃଆରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚର ଶୃଙ୍ଖଳାର ପ୍ରଥମ ଟ୍ୱେଣ୍ଟି୨୦ ମ୍ୟାଚ୍ ଖେଳାଯିବ ।
ଆସନ୍ତାବର୍ଷ ୱେଷ୍ଟଇଣ୍ଡିଜ୍ ଭାରତ ଗସ୍ତରେ ତିନୋଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିବାକୁ ଆସିବ । ପ୍ରଥମେ ଦିନିକିଆ ସିରିଜ୍ ଖେଳାଯିବ । ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୬ରେ ଅହମ୍ମଦାବାଦ, ଦ୍ୱିତୀୟ ମ୍ୟାଚ୍ ଜୟପୁରରେ ଫେବୃଆରୀ ୯ ଏବଂ ତୃତୀୟ ଦିନିକିଆ କୋଲକାତାରେ ଫେବୃଆରୀ ୧୨ ତାରିଖରେ ଅନୁଷ୍ଠିତ ହେବ । ଏହା ପରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ କଟକରେ ଖେଳାଯିବ । ଏହା ପରେ ବାକି ଦୁଇଟି ମ୍ୟାଚ୍ ଫେବୃଆରୀ ୧୮ ଓ ୨୦ ତାରିଖରେ ଯଥାକ୍ରମେ ବିଶାଖାପାଟଣା ଓ ଥିରୁବନନ୍ତପୁରମରେ ଖେଳାଯିବ । ଏହା ପୂର୍ବରୁ ଶେଷଥର ଲାଗି ଡିସେମ୍ବର ୨୨, ୨୦୧୯ରେ ବାରବାଟୀରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା । ସେତେବେଳେ ମଧ୍ୟ ଭାରତର ସାମ୍ନା ୱେଷ୍ଟଇଣ୍ଡିଜ୍ ସହ ହୋଇଥିଲା । ଏହି ମ୍ୟାଚରେ ଭାରତ ୪ ୱିକେଟରେ ବିଜୟୀ ହୋଇଥିଲା । ଏହାର ଦୁଇ ବର୍ଷ ପରେ ପୁଣିଥରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ଦାୟିତ୍ୱ ମିଳୁଥିବାରୁ ଫ୍ୟାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ବାରବାଟୀରେ ଏପର୍ଯ୍ୟନ୍ତ ମାତ୍ର ଦୁଇଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଛି । ୨୦୧୫, ଅକ୍ଟୋବର ୫ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ହେଲେ ଏହି ମ୍ୟାଚରେ ଭାରତ ଶୋଚନୀୟ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ନିକଟରୁ ୬ ୱିକେଟରେ ପରାସ୍ତ ହୋଇଥିଲା । ଏହା ପରେ ୨୦୧୭ ମସିହା ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ତେବେ ଏହି ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରି ୯୩ ରନରେ ବିଜୟ ଲାଭ କରିଥିଲା । ବାରବାଟୀରେ ଭାରତ ୧୯ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଛି, ଯେଉଁଥିରୁ ୧୩ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । କିନ୍ତୁ ଦୁଇଟି ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି ।