ବାବା ଧବଳେଶ୍ୱରଙ୍କ ପୀଠରେ ପବିତ୍ର ମକର ମେଳା, ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ

#ଆଠଗଡ଼(ଏନ୍.ଏମ୍.): କଟକର ଆଠଗଡ଼ ଅଞ୍ଚଳର ଐତିହାସିକ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିରରେ ବଡ଼ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇ ଯାଇଛି ପବିତ୍ର ମକର ମେଳା । ଭୋରୁ ଭୋରୁ ବାବା ଧବଳେଶ୍ୱରଙ୍କ ନୀତିକାନ୍ତି ସମାପନ ହେବା ପରେ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରି ପରମ ତୃପ୍ତି ଲାଭ କରିଥିଲେ । ଘନ କୁହୁଡ଼ି ଭରା ଶୀତୁଆ ସକାଳରେ ବାବା ଧବଳେଶ୍ୱରଙ୍କ ପୀଠ ହୋଇ ପଡ଼ିଥିଲା ଲୋକାରଣ୍ୟ । ନଥିଲା ବଡ଼ ଛୋଟର ଭେଦଭାବ । ଧନୀ ଗରିବ ସମସ୍ତେ ବାବାଙ୍କ ପାଖରେ ହାତଟେକି ନିଜକୁ ଉତ୍ସର୍ଗ କରିଦେଇଥିଲେ ବାବାଙ୍କ ଶ୍ରୀଚରଣ ତଳେ । ଦୀର୍ଘ ବର୍ଷ ପରେ ଧବଳେଶ୍ୱରଙ୍କ ପୀଠରେ କଟକଣା ଉଠିଥିବାରୁ ଶ୍ରଦ୍ଧାଳୁଙ୍କ ଖୁସି କହିଲେ ନସରେ । କରୋନା କଟକଣା ଯୋଗୁଁ ବାବାଙ୍କ ପୀଠକୁ ଶ୍ରଦ୍ଧାଳୁ ଆସିପାରିନଥିବାବେଳେ ପରବର୍ତ୍ତୀ ସମୟରେ ଦୁର୍ବଳ ଝୁଲାପୋଲ ଯୋଗୁଁ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିଲା ୧୪୪ ଧାରା । ଯାହାଦ୍ୱାରା ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ କରିବାକୁ ବଞ୍ôଚତ ହୋଇପଡ଼ିଥିଲେ । ଏ ନେଇ ବାରମ୍ବାର ଦାବି, ବିକ୍ଷୋଭ ହେବା ପରେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ରାସ୍ତା ମଧ୍ୟ ଉଦ୍ଘାଟନ ହୋଇଯାଇଛି । ଏଥି ସହିତ ବାବାଙ୍କ ପୀଠରୁ ସମସ୍ତ କଟକଣା ଉଠାଇ ଦିଆଯାଇଛି । ତେଣୁ ବାବାଙ୍କ ମନ୍ଦିରରେ ଆଜି ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା । ପବିତ୍ର ମକର ସଂକ୍ରାନ୍ତି ଅବସରରେ ବାବାଙ୍କର ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ । ତେବେ ଏହି ତିଥିରେ ବାବାଙ୍କ ଦର୍ଶନ କଲେ କୋଟି ପୂଣ୍ୟର ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ବାବାଙ୍କ ପୀଠରୁ କଟକଣା ହଟିଯିବା ପରେ ଶ୍ରଦ୍ଧାଳୁମାନେ ଏହି ଶୁଭ ମୂହୃର୍ତ୍ତକୁ ହାତଛଡ଼ା କରିବାକୁ ଚାହିନଥିଲେ । ତେବେ ବାବାଙ୍କ ପୀଠରେ ଏହି ଦିନ ଗୁଡ଼ି ଉଡ଼ାର ମଧ୍ୟ ପରମ୍ପରା ରହିଛି । ତେଣୁ ସକାଳୁ ସକାଳୁ ଧବଳେଶ୍ୱରର ଆକାଶ ରଙ୍ଗିନ ଗୁଡ଼ିରେ ରଙ୍ଗାୟିତ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ବାବାଙ୍କ ନିକଟରେ ମକର ଚାଉଳ ଭୋଗ ଲାଗି ହୋଇଥାଏ । ଏହି ଅବସରରେ ବାବା ଧବଳେଶ୍ୱର ଏକ ବିମାନରେ ମନ୍ଦିର ଚର୍ତୁପାଶ୍ୱର୍ ପରିକ୍ରମା କରିବାର ବିଧି ରହିଛି । ତେଣୁ ଏହି ପବିତ୍ର ତଥା ମନୋରମ ଦୃଶ୍ୟକୁ ଦର୍ଶନ କରିବା ନିମନ୍ତେ ଶ୍ରଦ୍ଧାଳୁ ଏଠାକୁ ଧାଇଁ ଆସିଛନ୍ତି ।