୫୦୦କୋଟି ଟଙ୍କାର ସହାୟତା ଘୋଷଣା କଲେ ନରେନ୍ଦ୍ର ମୋଦୀ
ଭୁବନେଶ୍ୱର (ଏନ୍.ଏମ୍.): ବାତ୍ୟା ୟାସ କ୍ଷୟକ୍ଷତିର ସମୀକ୍ଷା ପାଇଁ ଆଜି ଓଡିଶା ଓ ପଶ୍ଚମିବଙ୍ଗ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚô ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଦୀର୍ଘ ୧ ଘଣ୍ଟା ଧରି ବୈଠକରେ ବାତ୍ୟା ସଂକ୍ରାନ୍ତୀୟ କ୍ଷୟକ୍ଷତିର ଆଲୋଚନା ହୋଇଥିଲା । ଏହି ବୈଠକରେ ଆଲୋଚନାବେଳେ ଓଡ଼ିଶା ଦୀର୍ଘସୂତ୍ରୀ ବ୍ୟବସ୍ଥା ଚାହୁଁଥିବା ନେଇ ରାଜ୍ୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ କୁହାଯାଇଛି । ଏନେଇ ବୈଠକରେ ଆଲୋଚନା ହୋଇଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ବିଶେଷ କରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ ବ୍ୟବସ୍ଥା ଉପରେ ଦାବି କରାଯାଇଛି । ଉନ୍ନତ ପ୍ରଯୁକ୍ତିବିଦ୍ୟା, ଭୂତଳ କେବୁଲିଂ ବ୍ୟବସ୍ଥା, ଉପକୂଳ ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା, ବାତ୍ୟା ସମୟରେ ୭/୮ ମିଟର ପର୍ଯ୍ୟନ୍ତ ଜୁଆର ଉଠୁଥିବାରୁ ତା’ର କୌଣସି ବ୍ୟବସ୍ଥା ନଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଏହି ଦୁଇ କାର୍ଯ୍ୟ ପାଇଁ ଭାରତ ସରକାରଙ୍କ ସହାୟତା ନେଇ ବୈଠକରେ ଦାବି କରାଯାଇଛି । ତେବେ ବାତ୍ୟା ନେଇ ରାଜ୍ୟ ସରକାର ବର୍ତ୍ତମାନ ଆଉ କିଛି ଦାବି କରି ନାହାନ୍ତି । ଏବେ ଯାହା ଦରକାର ଆମେ ତାକୁ ମ୍ୟାନେଜ କରିନେବୁ । ଆଗାମୀ ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦିଆଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସମୀକ୍ଷା ପରେ ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରେ ସମୀକ୍ଷା ବୈଠକ କରିଥିଲେ । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଭୟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୁଲିସ୍ ମହାନିଦେ୍ର୍ଦଶକ ଅଭୟ ଓ ଏସଆରସି ଶ୍ରୀ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ପ୍ରଧାନମନ୍ତ୍ରୀ ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିବା ପରେ ରାଜ୍ୟକୁ ୫୦୦କୋଟି ଟଙ୍କାର ପ୍ୟାକେଜ ସହାୟତା ଘୋଷଣା କରିଛନ୍ତି ।