ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା: ୧୧ଟି ଜିଲ୍ଲାରେ ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ, ୫ହଜାର ଲୋକଙ୍କୁ ସ୍ଥାନାନ୍ତର
ଭୁବନେଶ୍ୱର (ଏନ୍.ଏମ୍.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଗୁଚାପ ଅବପାତ ହେବା ସହିତ ବାତ୍ୟାର ରୂପ ନେଇ ସାରିଛି । ଏହି ବାତ୍ୟାର ନାମ ରହିଛି ‘ଗୁଲାବ’ ।ଆଜି ମଧ୍ୟରାତ୍ରରେ ବାତ୍ୟା ‘ଗୁଲାବ’ ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୧୧ଟି ଜିଲ୍ଲାରେ ଆସନ୍ତାକାଲି ସ୍କୁଲ୍ ଓ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ସ୍ଥିତି ନେଇ ଆଜି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ଅବସରରେ ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ବାତ୍ୟା ସମୟରେ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି ।
ରାଜ୍ୟର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆସନ୍ତାକାଲି ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ମଙ୍ଗଳବାର ଦିନ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଜିଲ୍ଲାପାଳମାନେ ସ୍କୁଲ୍ ଓ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲା ରହିବ ନା ବନ୍ଦ କରାଯିବ ସେ ନିଷ୍ପତ୍ତି ନେବେ । ଶ୍ରୀ ଜେନା ପୁଣି କହିଛନ୍ତି ଯେ, ବାତ୍ୟା ଯୋଗୁ ଯେପରି କୌଣସି ସ୍ଥାନରେ ଗୋଟିଏ ବି ଜୀବନ ନଷ୍ଟ ନହୁଏ ସେଥିପ୍ରତି ପୂରା ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଶ୍ରୟସ୍ଥଳ ଗୁଡ଼ିକରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବାତ୍ୟା ଜନିତ ସମସ୍ୟାର ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ରହିଥିବା ଏସଆରସି ସୂଚନା ଦେଇଛନ୍ତି । ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସକାଳ ୮ଟା ସୁଦ୍ଧା ପ୍ରାୟ ୫ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ବିଶେଷ କରି ବନ୍ୟା ସମ୍ଭାବନା ଥିବା ତଳିଆ ଅଞ୍ଚଳ, ଭୂସ୍ଖଳ ହେବାର ସମ୍ଭାବନା ଥିବା ଅଞ୍ଚଳ, କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବାକୁ କୁହାଯାଇଛି । ତୁରନ୍ତ ସମ୍ଭାବ୍ୟ କ୍ଷତିଗ୍ରସ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।