ବାଣ ତିଆରି ବେଳେ ବିସ୍ଫୋରଣ: ୪ ମୃତ, ୪ ଗୁରୁତର

ବାଣ ତିଆରି ବେଳେ ବିସ୍ଫୋରଣ: ୪ ମୃତ, ୪ ଗୁରୁତର

ବାଣ ତିଆରି ବେଳେ ବିସ୍ଫୋରଣ: ୪ ମୃତ, ୪ ଗୁରୁତର

News by B.Mishra (BBSR)

#ଖୋର୍ଦ୍ଧା (ଏନ୍‌.ଏମ୍‌.): ଦୋଳପୂର୍ଣ୍ଣମୀ ପାଇଁ ବାଣ ବିକ୍ରି କରି ଦୁଇ ପଇସା ରୋଜଗାର କରିବାର ଇଚ୍ଛା ଆଜି ମହଙ୍ଗା ପଡ଼ିଛି । ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଗାଁରେ । ଆହତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୋଳ ପୂର୍ଣ୍ଣିମା ପାଇଁ ଭୂଷଣ୍ଡପୁର ଗାଁର ଏକ ଘରେ ବାଣ ପ୍ରସ୍ତୁତି ହେଉଥିଲା । ଆଜି ସକାଳେ ହଠାତ୍ ସେହି ଘରେ ବାଣ ବିସ୍ଫୋରଣ ହୋଇ ନିଆଁ ଲାଗି ଯାଇଥିଲା । ନିଆଁ ଚାରିଆଡ଼େ ବ୍ୟାପିଯିବା ସହ ଘର ଭିତରେ ଥିବା ବାଣ ଗୁଡ଼ିକ ଫୁଟି ଥିଲା । ଫଳରେ ସେହି ଘରେ ଥିବା ୮ଜଣ ବ୍ୟକ୍ତି ବାହାରକୁ ବାହାରି ପାରିନଥିଲେ । ଅଗ୍ନିଶମ ବାହିନୀ ଓ ପୁଲିସ ଆସି ଉଦ୍ଧାର କାର୍ଯ୍ୟ କରିଥିଲେ । ହେଲେ ସେତେବେଳକୁ ୪ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା । ଆଉ ୪ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘରର ଛପର ପୂରା ଉଡ଼ି ଯାଇଥିବା ଦେଖିବାକୁ ମିଳିଛି । ତେବେ ୪ ମୃତକଙ୍କ ମଧ୍ୟରେ ୨ ଜଣ ହେଉଛନ୍ତି ବାପ-ପୁଅ । ସେମାନେ ହେଲେ ସହଦେବ ବେହେରା ଓ ତାଙ୍କ ପୁଅ ନିରଞ୍ଜନ ବୋଲି ଜଣାପଡ଼ିଛି । ତେବେ ଅନ୍ୟ ୨ଜଣଙ୍କ ପରିଚୟ ମିଳିପାରି ନାହିଁ । ଏହି ବିସ୍ଫୋରଣରେ ସହଦେବଙ୍କ ଆଉ ଜଣେ ପୁଅ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱର ଏମସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାକି ୩ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଣ ପ୍ରସ୍ତୁତି ବେଳେ ଘରେ କେଉଁ କାରଣରୁ ବିସ୍ଫୋରଣ ହେଲା, ତାହା ଜଣାପଡ଼ିନାହିଁ । ବାଣ ପ୍ରସ୍ତୁତ ବେଳେ ଅସାବଧାନତା ଯୋଗୁ ଏହି ଅଘଟଣ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଏଠାରେ ବାଣ ତିଆରି କରିବା ପାଇଁ ପ୍ରଶାସନର ଅନୁମତି ନଥିବାବେଳେ ବେଆଇନ ଭାବେ ବାଣ ନିର୍ମାଣ ଚାଲିଥିବା ଖୋର୍ଦ୍ଧା ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି । ପୁଣି ବାଣ ପାଇଁ କେଉଁଠୁ କଞ୍ଚାମାଲ ଆସୁଥିଲା ତା’ର ବି ତଦନ୍ତ କରାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ୨୮ ତାରିଖରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଇଚ୍ଛାପୁରରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିଦିନ ଘଟଣାସ୍ଥଳରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଗତକାଲି ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ବାଣ କାରଖାନାର ମାଲିକଙ୍କ ମୃତ୍ୟୁ ଘଟିଥିଲା । ତେବେ ଏଭଳି ବେଆଇନ ବାଣ ପ୍ରସ୍ତୁତର କରୁଣ ପରିଣତି ଦେଖିବାକୁ ମିଳିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ