ବାଜିଲା ନିର୍ବାଚନ ବିଗୁଲ: ନଭେମ୍ବର ୧୫ ସୁଧା ନିଜ ଅଞ୍ଚଳରେ ଥିବା ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ
ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଜୋରସୋରରେ ଆରମ୍ଭ ହୋଇଥିବାବେଳେ ନିଜ ଅଞ୍ଚଳରେ ରହିଥିବା ଅଫିସରମାନଙ୍କୁ ଆସନ୍ତା ନଭେମ୍ବର ୧୫ତାରିଖ ସୁଦ୍ଧା ଅନ୍ୟତ୍ର ବଦଳି କରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ଅବାଧ,ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ସମ୍ବିଧାନର ଧାରା ୨୪୩(କେ)ର ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଜ୍ୟ ସରକାରଙ୍କୁ କମିଶନର ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଗତ ଶୁକ୍ରବାର ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଚିଠି ଲେଖି ପଞ୍ଚାୟତ ନିର୍ବାଚନ ୨୦୨୨ ମସିହାର ପ୍ରଥମ ଭାଗରେ ହେବ ଓ କମିଶନ ଏଥିପାଇଁ ପ୍ରକ୍ର୍ରିୟା ଆରମ୍ଭ କରିସାରିଛନ୍ତି । ତେଣୁ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିଜ ଅଞ୍ଚଳରେ ଅବା ନିଜ ଜନ୍ମ ସ୍ଥାନରେ କାର୍ଯ୍ୟ କରୁଥିବା ଅଫିସରମାନଙ୍କୁ (ପଞ୍ଚାୟତଠୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ) ନଭେମ୍ବର ୧୫ତାରିଖ ସୁଦ୍ଧା ନିଶ୍ଚିତ ଭାବେ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ କର୍ମଚାରୀ ବା ଅଫିସରଙ୍କ ବଦଳି ହେବ ସେମାନେ ଯେପରି ଛୁଟି ନରହିବେ ଏବଂ ବଦଳି ସ୍ଥାନରେ ଯୋଗ ଦେବେ ତାହା ମଧ୍ୟ ସୁନିଶ୍ଚିତ କରିବାକୁ ମଧ୍ୟ କମିଶନର କହିଛନ୍ତି । ତେବେ ଯେଉଁ କର୍ମଚାରୀମାନେ ୨୦୨୨ ମାର୍ଚ୍ଚ ସୁଦ୍ଧା ସରକାରୀ ଚାକିରୀରୁ ଅବସର ନେବାକୁ ଥିବ ସେମାନଙ୍କୁ ଏହି ବଦଳି ପ୍ରକ୍ରିୟାରୁ ବାଦ୍ ଦେବା ସହ ନିର୍ବାଚନ ଡ୍ୟୁଟିରେ ନପକାଇବାକୁ ନିର୍ବାଚନ କମିଶନର ପରାମର୍ଶ ଦେଇଛନ୍ତି । ଏହି ବଦଳି ପ୍ରକ୍ରିୟା ଆରମ୍ଭ ନିମନ୍ତେ ସମସ୍ତ ବିଭାଗକୁ ତୁରନ୍ତ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ ରାଜ୍ୟ ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କୁ କମିଶନର କହିଛନ୍ତି । ଯେଉଁ କର୍ମଚାରୀ ଓ ଅଫିସରମାନେ ନିଜ ଅଞ୍ଚଳରେ ରହିଲେ ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧାପ୍ରାପ୍ତ ହେବାର ଆଶଙ୍କା କମିଶନର କରିଛନ୍ତି ସେମାନଙ୍କର ତାଲିକା ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ସେସବୁ ଅଫିସର ଓ କର୍ମଚାରୀମାନେ ହେଲେ ପଞ୍ଚାୟତସ୍ତରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ବ୍ଲକସ୍ତରରେ ବିଡିଓ, ଏବିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର, ପଞ୍ଚାୟତ ସମ୍ପ୍ରସାରଣ ଅଫିସର ଓ ଅନ୍ୟ ସମ୍ପ୍ରସାରଣ ଅଧିକାରୀ ଯିଏକି ନିଜ ଗୃହ ବ୍ଲକରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଅନ୍ୟତ୍ର ବଦଳି ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି ସବଡିଭିଜନସ୍ତରରେ ସବକଲେକ୍ଟର, ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ଅତିରିକ୍ତ ସବକଲେକ୍ଟର, ଏସଡିପିଓ, ସବଡିଭିଜିନାଲ ପଞ୍ଚାୟତ ଅଫିସରଙ୍କ ସମେତ ଜିଲ୍ଲାସ୍ତରରେ ଜିଲ୍ଲାପାଳ, ଏସପି, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ଡିଆରଡିଏ ପ୍ରକଳ୍ପ ଅଧିକାରୀ, ଅତିରିକ୍ତ ଏସପି, ଜିଲ୍ଲା ପଞ୍ଚାୟତ ଅଫିସରଙ୍କୁ ନିଜ ଗୃହ ଜିଲ୍ଲାରୁ ଅନ୍ୟତ୍ର ବଦଳି କରିବା ପାଇଁ ନିର୍ବାଚନ କମିଶନର ପରାମର୍ଶ ଦେଇଛନ୍ତି । ଏହାସହିତ ପଞ୍ଚାୟତ ନିର୍ବାଚନ ଧାର୍ଯ୍ୟ ସମୟସୀମା ଭିତରେ କରାଯିବ ବୋଲି କମିଶନର ସ୍ପଷ୍ଟ କରିଛନ୍ତି ।