ବାଙ୍ଗାଲୋର ଠାରେ ସାଂକେତିକ ରଥଯାତ୍ରା

ବାଙ୍ଗାଲୋର ଠାରେ ସାଂକେତିକ ରଥଯାତ୍ରା

ବାଙ୍ଗାଲୋର ଠାରେ ସାଂକେତିକ ରଥଯାତ୍ରା


ବାଙ୍ଗାଲୋର (ଏନ୍‌.ଏମ୍‌.): କୋଭିଡ୍ କଟକଣା ମଧ୍ୟରେ ବେଙ୍ଗାଲୁରୁଠାରେ ରଥଯାତ୍ରା ମହୋତ୍ସବ ପାଳିତ ହୋଇଯାଇଛି । ମହାନଗରର ଆଗରାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ବଢ଼ି ଭୋରରୁ ମଙ୍ଗଳ ଆଳତୀ, ଅବକାଶ, ମଇଲମ, ସୂର‌୍ୟ୍ୟପୂଜା, ଦ୍ୱାରପାଳ ପୂଜା ଓ ସାହାଣ ମେଲା ଆଦି ରୀତିନୀତି ଯଥାବିଧି ମୁତାବକ ସମ୍ପନ୍ନ କରାଯାଇଥିଲା । କୋଭିଡ୍ ପ୍ରୋଟୋକଲକୁ ପାଳନ କରାଯାଇ ରଥଯାତ୍ରା ପର୍ବ ପାଳନକୁ ମନ୍ଦିର ପରିସର ମଧ୍ୟରେ ହିଁ ସୀମିତ ରଖାଯାଇଥିଲା । ଫେସ୍ବୁକ୍ରେ ଲାଇଭ୍ଷ୍ଟ୍ରିମିଂ ଜରିଆରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କର ପୂଜାର୍ଚ୍ଚନା ଏବଂ ସାଂକେତିକ ରଥଯାତ୍ରାକୁ ଦେଖି ପାରିଥିଲେ । ଅପରାହ୍ଣ ୧ଟାରୁ ୨ଟା ମଧ୍ୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରଯାଇ ଉପର ମହଲାରେ ଥିବା ଅଣସର ଗୃହରୁ ତଳ ମହଲାକୁ ଅଣାଯାଇଥିଲା । ପ୍ରଥମେ ପ୍ରଭୁ ସୁଦର୍ଶନ ତା’ପରେ ବଡ଼ ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଶଙ୍ଖ, ଘଣ୍ଟ, ମର୍ଦ୍ଦଳ, କରତାଳ, ଝାଞ୍ଜ ଓ ମୁର୍ଦ୍ଦଙ୍ଗର ଗହଗହ ନାଦ ଏବଂ ଜୟ ଜଗନ୍ନାଥ ଧ୍ୱନୀ ସହିତ ସୀମିତ ପୁଜାରୀ ଏବଂ ଆୟୋଜକଙ୍କ ଦ୍ୱାରା ରୋଷଣୀ କରି ଅଣାଯିବାର ଦୃଶ୍ୟ ବେଶ ମନୋରମ ଥିଲା । ଏଠାରେ ପାରମ୍ପରିକ ଛେରା ପହଁରା କାର‌୍ୟ୍ୟ ମନ୍ଦିର ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟୀ ଚକ୍ରଧର ସ୍ୱାଇଁଙ୍କଦ୍ୱାରା ସମାପନ ହୋଇଥିଲା । କର୍ଣ୍ଣାଟକ ସରକାରଙ୍କ ତରଫରୁ ଜାରି କରାଯାଇଥିବା ନୂଆ କରୋନା ସର୍ତ୍ତାବଳୀ ଅନୁଯାୟୀ ଭକ୍ତମାନଙ୍କୁ ସକାଳେ ସାହାଣମେଲା ସମୟରେ ଓ ସନ୍ଧ୍ୟାରେ ଦିଅଁମାନଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା । ଠାକୁରମାନେ ଆଜିଠାରୁ ନୀଳାଦ୍ରୀ ବିଜେ ପର‌୍ୟ୍ୟନ୍ତ ମନ୍ଦିରର ତଳ ତାଲାସ୍ଥିତ ହଲ୍ରେ ରହିବେ ବୋଲି ମ୍ୟାନେଜିଂ ଟ୍ରଷ୍ଟି ତଥା ପ୍ରଖ୍ୟାତ ଚିକିତ୍ସାବିତ୍ ଡଃ ପ୍ରତାପ ପାଣିଙ୍କଠାରୁ ପ୍ରକାଶ । ଚଳିତ ବର୍ଷ ରଥଯାତ୍ରା ଉତ୍ସବର ଆୟୋଜନ ଏବଂ ଏହାର ସୁପରିଚାଳନା କରିବାରେ ମନ୍ଦିର ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟୀ ଡ. ପ୍ରତାପ ପାଣି, ସଦସ୍ୟ ନୀହାର ସାମନ୍ତରା, ଏନ୍.ଆର୍.ବି ପଟ୍ଟନାୟକ, ହରପ୍ରସାଦ ମହାପାତ୍ର, ସତୀକାନ୍ତ ଷଡ଼ଙ୍ଗୀ, ଚକ୍ରଧର ସ୍ୱାଇଁ, ପ୍ରକାଶ ସାମନ୍ତରା, ବିଚାରପତି ଜେ.ପି. ଉଦ୍ଗାତା, କାମାକ୍ଷା ପଣ୍ଡା, ପୂଣ୍ୟଶ୍ଲୋକ ଖୁଣ୍ଟିଆ, ମନୋଜ ମହାପାତ୍ର, ମନୋଜ ପାତ୍ର ଓ ନିରଞ୍ଜନ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଜଣାଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ