ବାଙ୍କୀ ମହାବିଦ୍ୟାଳୟ ଷ୍ଟାଡ଼ିୟମ: ନିର୍ମାଣ ହେବାକୁ ଲାଗିଲା ୧୩ ବର୍ଷ, ଉଦଘାଟନର ସପ୍ତାହେ ପରେ ଭୁଶୁଡ଼ି ଗଲା

ବାଙ୍କୀ ମହାବିଦ୍ୟାଳୟ ଷ୍ଟାଡ଼ିୟମ: ନିର୍ମାଣ ହେବାକୁ ଲାଗିଲା ୧୩ ବର୍ଷ, ଉଦଘାଟନର ସପ୍ତାହେ ପରେ ଭୁଶୁଡ଼ି ଗଲା

ବାଙ୍କୀ ମହାବିଦ୍ୟାଳୟ ଷ୍ଟାଡ଼ିୟମ: ନିର୍ମାଣ ହେବାକୁ ଲାଗିଲା ୧୩ ବର୍ଷ, ଉଦଘାଟନର ସପ୍ତାହେ ପରେ ଭୁଶୁଡ଼ି ଗଲା

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ବାଙ୍କୀ କଲେଜ ଖେଳପଡ଼ିଆ ଠାରେ ତରବରିଆ ଭାବେ ନିର୍ମାଣ ହୋଇଥିବା ଗ୍ୟାଲେରୀ ଚଳିତ କାଳବୈଶାଖିରେ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଏହି ଷ୍ଟାଡ଼ିୟମ ନିର୍ମାଣ କେତେ ମଜଭୁତ ଥିଲା ତାହା ଜଳ ଜଳ ହୋଇ ଦେଖାଯାଉଛି । ଏହାକୁ ନେଇ ଅଞ୍ଚଳରେ ତିବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ତେବେ ଏହାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ସମ୍ପୃକ୍ତ ଠିକା ସଂସ୍ଥାର ଲାଇସେନ୍ସ ବାତିଲ ପାଇଁ ଦାବି ଉଠିବା ସହ ଏଠାରେ କ୍ରୀଡ଼ାବିତଙ୍କ ଜୀବନ ସହ କଲେଜ କର୍ତ୍ତୃପକ୍ଷ ଓ ଠିକାଦାର ଖେଳ ଖେଳୁଥିବା ଭଳି ସଂଗୀନ ଅଭିଯୋଗ ଉଠିଛି ।
ସୂଚନା ଅନୁଯାୟୀ, କଲେଜର ଖେଳ ପଡ଼ିଆରେ ଏକ ଦର୍ଶକ ଗ୍ୟାଲେରୀ ନିର୍ମାଣ ହେବାକୁ ୧୩ ବର୍ଷ ଲାଗିଥିବା ବେଳେ ଖୋଦ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏହାକୁ ଲୋକାର୍ପିତ କରିଥିଲେ । କିନ୍ତୁ ଉଦ୍ଘାଟନ ହେବାର ସପ୍ତାହେ ପରେ ବର୍ଷାରେ ଭୁଶୁଡ଼ି ଗଲା ଏହି ଗ୍ୟାଲେରୀ । ନିମ୍ନମାନର କାମ ଯୋଗୁ ଗ୍ୟାଲେରୀ ଭାଙ୍ଗି ଯାଇଥିବା ଲୋକେ ଅଭିଯୋଗ କରିଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି । ବାଙ୍କୀ ମହାବିଦ୍ୟାଳୟର ଖେଳ ପଡ଼ିଆରେ ଦର୍ଶକ ଗ୍ୟାଲେରୀ ନିର୍ମାଣ ନିମନ୍ତେ ୨୦୧୧ ମସିହାରେ ଅନୁମତି ମିଳିଥିଲା । ଏହାପରେ କାମ ଆରମ୍ଭ ହୋଇଥିବା ବେଳେ ଏଥିନିମନ୍ତେ ୪୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିଲା । ପ୍ରଥମେ ୨୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିବାବେଳେ କାମ ସରିଲା ପରେ ବାକି ଟଙ୍କା ମିଳିବ ବୋଲି ସ୍ଥିର ହୋଇଥିଲା । ପୂର୍ତ୍ତ ବିଭାଗ ଜରିଆରେ ଏହି କାମ ହୋଇଥିଲା । ମାତ୍ର ୧୩ ବର୍ଷ ପରେ ବି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ । ଗତ ୨୩ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବାଙ୍କୀ ଗସ୍ତରେ ଆସିଥିବାବେଳେ ତରବରିଆ ଭାବେ ଉକ୍ତ ଦର୍ଶକ ଗ୍ୟାଲେରୀର ସମ୍ମୁଖ ଭାଗ ଚକାଚକ କରାଯାଇଥିଲା । ଆଉ ସେହିଦିନ ମନ୍ତ୍ରୀ ଗ୍ୟାଲେରୀଟିକୁ ଉଦଘାଟନ କରିଥିଲେ । ତେବେ କାମ ଶେଷ ହୋଇ ନଥିବାରୁ କଲେଜ କର୍ତ୍ତୃପକ୍ଷ ଗ୍ୟାଲେରୀଟିକୁ ଗ୍ରହଣ କରି ନଥିଲେ । ଆଉ ଆଜି ସକାଳେ ପ୍ରବଳ ବର୍ଷା ହୋଇଥିବା ବେଳେ ଉକ୍ତ ଗ୍ୟାଲେରୀଟିର ଏକ ବଡ଼ ଭାଗ ଭୁଶୁଡ଼ି ଯାଇଛି । ଏ ନେଇ ବାଙ୍କୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବାନୀ ପ୍ରସାଦ ହୋତା କହିଛନ୍ତି ଯେ, କାମ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଆମେ ଉକ୍ତ ଗ୍ୟାଲେରୀକୁ ହାତକୁ ନେଇ ନ ଥିଲୁ । ତେଣୁ କଲେଜ ପକ୍ଷରୁ ଏହାର ବ୍ୟବହାର ଆରମ୍ଭ ହୋଇ ନଥିଲା । ଅନ୍ୟପକ୍ଷରେ ଏହି ଘଟଣା ପରେ ପୂର୍ତ୍ତ ବିଭାଗ ଅଧିକାରୀ ଏବଂ ଠିକାଦାରଙ୍କ ପତ୍ତା ମିଳୁନଥିବା ଅଞ୍ଚଳର କ୍ରୀଡ଼ାପ୍ରେମୀମାନେ କହିଛନ୍ତି ।

Slider ଅପରାଧ କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ