ବନ୍ୟା ବିଭିଷିକା: ବର୍ଷା ପରେ ବି ସୁଧୁରିନି ନରସିଂପୁର ଅବସ୍ଥା
ନରସିଂପୁର (ଏନ୍.ଏମ୍.): ଲଘୁଚାପଜନିତ ଲଗାଣ ବର୍ଷାରେ ସାରା ରାଜ୍ୟରେ ଉତ୍ପାତ ବଢିଚାଲି ଥିବା ବେଳେ ନରସିଂପୁର ବ୍ଲକ ସେଥିରୁ ବାଦ ପଡିନି । ଦୀର୍ଘ ତିନିଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ରେ ସାରା ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ସାଧାରଣ ଜୀବନ ଯାତ୍ରା ଓ ଜୀବିକା ନଷ୍ଟ ହୋଇ ପଡିଛି । ବାଲିପୁଟରୁ ବାଲିଝରି ପର୍ଯ୍ୟନ୍ତ ଅବସ୍ଥା ଏଭଳି ସ୍ଥିତିରେ ପହଞ୍ôଚଛି ଯେ ବ୍ଲକ ରେ ଥିବା ପ୍ରାୟ ସମସ୍ତ କଚ୍ଚା ଘର ଗୁଡିକ ଭାଙ୍ଗିରୁଜି ଭୂଇଁ ରେ ମିଶିଯାଇଛି । ସାଧାରଣ ଗରିବ ସେ କୁଡ଼ିଆ ଘର ଗୁଡିକରେ ଆଉ ରହିବା ଏବଂ ଘର ଗୁଡିକ ସଜାଡ଼ିବା ମଧ୍ୟ ସମ୍ଭବ ହୋଇ ପାରିବନି । ଆଦ୍ୟ ଆଷାଢ଼ର ଅଭାବ ଜନିତ ବର୍ଷାରେ ଧାନ କ୍ଷେତ ଉଜୁଡି ପଡିଥିବା ବେଳେ ଯାହା ରହିଥିଲା ଏ ଲଗାଣ ବର୍ଷାରେ ହିଡ ବାଡ଼ି ଭାଙ୍ଗି ପ୍ରାୟ ଜାଗାରେ ଧାନ ବିଲ ଉପରେ ଚାରି ଫୁଟର ପାଣି । ଧାନ ଫସଲରେ ଏଭଳି ଅବସ୍ଥା ସାଙ୍ଗକୁ ପନିପରିବା ଚାଷୀ ଙ୍କ ଦୁଃଖ ନକହିବା ଭଲ । ବର୍ଷା ସାଙ୍ଗକୁ ପବନରେ ନୂଆ କୋବି ଚାଷ ଉଜୁଡିପିଡ଼ିଲା । ବାଇଗଣ ଭେଣ୍ଡି ଜହ୍ନି ଅନ୍ୟାନ୍ୟ ପରିବା ପ୍ରାୟ ସରସାମରା ରୋଗରେ ଉଜୁଡିଯିବା ଉପରେ । ତିନିଦିନର ଲଗାଣ ବର୍ଷାରେ ବ୍ଲକର କାଠଖୁଣ୍ଟ ଯାନିସାହି, ନିମସାହି, ଆଇଁଷିଆ, ଏକଡ଼ାଳ, ଜଳକେଳି, ତାମରା, ବାଲିଝରି, ପାଇକପଡା ପାଟଣା, ଓସ୍ତ ନାରାୟଣପୁର, ବାଲିପୁଟ, ହାଇରଣପୁର, କଳା ମାଟିଆ, ମିଟିକାପୁର, ସୁବଲୟା ଇତ୍ୟାଦି ଅନେକ ଜାଗାରେ ରାସ୍ତା ଘାଟରେ ୪ଫୁଟ ଉଚ୍ଚରେ ପାଣି ଜମି ରହିଛି । ଏ ସବୁ ସମସ୍ୟା ଭିତରେ ସେ ଅଞ୍ଚଳରେ ରହିଥିବା କଚା ଘର ବାଲିପୁଟର ଯୁଗଳ ବେହେରା ଓ ଝୁନୁ ବେହେରା ସୁବଳୟ ଗ୍ରାମର ମଞ୍ଜୁ ରାଉତଙ୍କ ଘର ଭାଙ୍ଗି ବା ସହିତ କାନ୍ଥ ଭୁଶୁଡି ପଡିଛି । ମାଳିସାହି ଗ୍ରାମର ବିଶ୍ୱନାଥ ନାୟକଙ୍କ ଘର ସହିତ ବାଲିଝରି ଗ୍ରାମର ତଳସାହି ଗ୍ରାମର ଉତ୍ତମ ମକୁଟ ଜଗରନାଥ ମକୁଟ ଦିପୁ ମକୁଟଙ୍କ ଘର ଭାଙ୍ଗିବା ସହିତ ପାଇକ ପଡା ପାଟଣାର ଏକାଧିକ ଦଳିତ ପରିବାର ଙ୍କର ଘର ଭୁଶୁଡି ପଡିଛି ସେହିପରି ସିଆରିଆରେ ମୁରଲୀଧର ନାଥଙ୍କ ଏକ ବଖରା ଘର ଭୁଶୁଡିବା ଅବସ୍ଥାରେ ଲବଣି ସେଠିଙ୍କ ଏକ ବଖରା ଘର ଭୁଶୁଡି ଯାଇଛି । ସିଆରିଆ ବିଶ୍ୱନାଥପୁରର ଦୂର ବେୱା ଆଖିଲେଶ ମହାପାତ୍ର ଓ ରବୀନ୍ଦ୍ର ସାହୁଙ୍କ ଗୋଟିଏ ଲେଖାଏଁ ବଖରା ଘର କାନ୍ଥ ସହ ଭୁଶୁଡି ପଡିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତହସିଲ ତରଫରୁ ସୁବଳୟ ଗ୍ରାମର ମଞ୍ଜୁଲତା ପାଇକ ପଡା ପାଟଣା ଗ୍ରାମର ସତୁରା ନାୟକଙ୍କୁ ତୁରନ୍ତ ପାଲ ଯୋଗାଇ ଦିଆଯାଇଛି । ସମସ୍ତ ରାଜସ୍ୱ ନିରୀକ୍ଷକମାନଙ୍କୁ ଏ ସବୁର କ୍ଷୟକ୍ଷତିର ଆକଳନ କରି ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ତହସିଲଦାର ଆଲୋକ ରଞ୍ଜନ ଦେହୁରୀ ନିର୍ଦ୍ଦେଶ ଦେଇଛନ୍ତି । ତିନି ଦିନ ଧରି ଅବିଶ୍ରାନ୍ତ ବର୍ଷାରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ତେବେ ବର୍ଷା ବିତ୍ପାତରେ ବଡ଼ମ୍ବା ଓ ନରସିଂହପୁର ଉଭୟ ବ୍ଲକ ଅଞ୍ଚଳରେ ସ୍ଥିତି ବେହାଲ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ରାସ୍ତାରେ ପାଣି ଚାଲିବାରୁ ଯୋଗାଯୋଗ ଅନେକ ସମୟ ଧରି ବିଛିନ୍ନ ହୋଇଛି । ତେବେ ଏହି ଅଞ୍ଚଳରେ ବନ୍ୟା ପ୍ରଭାବିତଙ୍କ ପାଇଁ ସହାୟତା ଯୋଗାଇ ଦେବା ନିମନ୍ତେ ବିଧାୟକ ଦବୀପ୍ରସାଦ ମିଶ୍ର ଏ ସମ୍ପର୍କରେ ଉଭୟ ବ୍ଲକର ବିଡ଼ିଓ, ତହସିଲଦାର, କ୍ଷୁଦ୍ର ଜଳସେଚନ, ବିଦ୍ୟୁତ ଅଧିକାରୀ ତଥା ରାଜ୍ୟ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସଂଗେ ଆଲୋଚନା କରିଥିବା ଜଣାପଡ଼ିଛି ।