ବନ୍ଧାହେଲେ ୨ ଆନ୍ତଃଜିଲ୍ଲା ଡକାୟତ, ବନ୍ଧୁକ ଜବତ

କଟକ(ଏନ୍.ଏମ୍.): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡକାୟତି କରୁଥିବା ଗ୍ୟାଙ୍ଗକୁ କଟକ କମିଶନରେଟ୍ ପୁଲିସ ଧରିବାରେ ସଫଳ ହୋଇଛି । ଏହି ଗ୍ୟାଙ୍ଗ ବନ୍ଧୁକ ମୁନରେ ଚଳାଇଥିଲେ ଆତଙ୍କ ରାଜ । କଟକରେ ଅପରାଧ ଘଟାଇବା ବେଳେ ୨ଜଣ ଧରାପଡ଼ିଥିବାବେଳେ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଧରାପଡ଼ିଥିବା ୨ଜଣଙ୍କ ମଧ୍ୟରେ ଖୋର୍ଦ୍ଧା ବାଲୁଗାଁ ଗଣ୍ଡରପୁରର ବର୍ଲା ଓରଫ ବଳ ଓରଫ ସୁରେଶ ଗଜେନ୍ଦ୍ର(୩୬) ଓ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରର ମୁସ୍ତାକିରୀ ଅଞ୍ଚଳର ଦୀପୁ ଓରଫ ଅସିତ କୁମାର କର(୩୪)ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏମାନଙ୍କ ଠାରୁ ଗୋଟିଏ ପିସ୍ତଲ, ୪ଟି ଅଫୁଟା ଗୁଳି, ଗୋଟିଏ ପଲସର ଓ ସ୍କୁଟି, ଦୁଇଟି ମୋବାଇଲ ଜବତ ହୋଇଛି ।
ସୂଚନାଯୋଗ୍ୟ ଯେ, କଦମରସୁଲ ଅଞ୍ଚଳରେ ରହୁଥିବା ଅବଦୁଲ ଫୟାଜୁଦ୍ଦିନ ସୋମବାର ଅପରାହ୍ନ ପ୍ରାୟ ୪ଟା ବେଳେ ଗୌରୀଶଙ୍କର ପାର୍କ ପଛରେ ଗାଡି ଧରି ଠିଆ ହୋଇଥିଲେ । ଏହି ସମୟରେ ଗୋଟିଏ ପଲସର ବାଇକରେ ତିନି ଜଣ ଯୁବକ ଆସି ସେଠାରେ ଅଟକିଥିଲେ । ହଠାତ୍ ଏହି ଦୁବୃର୍ତ୍ତମାନେ ଅବଦୁଲଙ୍କୁ ଗାଳିଗୁଲଜ କରିବା ସହ ଜଣେ ବନ୍ଧୁକ ଦେଖାଇ ଗାଡି଼ ଛଡାଇବାକୁ ଉଦ୍ୟମ କରିଥିଲା । ମାତ୍ର ଅବଦୁଲ ଗାଡି ଚାବି ଦେଇନଥିଲେ । ଉଭୟଙ୍କ ଭିତରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା । ଏହି ସମୟରେ ଖୁବ୍ଜୋର୍ରେ ଅବଦୁଲ ଚିତ୍କାର କରିଥିଲେ । ତାଙ୍କର ପାଟି ଶୁଣି ଆଖପାଖର ବ୍ୟବସାୟୀ ଦୁଇଜଣ ଦୁର୍ବୃତ୍ତଙ୍କୁ କାବୁ କରିନେଇଥିଲାବେଳେ ଆଉ ଜଣେ ଗଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଖବର ପାଇ ଦରଘାବଜାର ପିସିଆର ଘଟଣାସ୍ଥଳରେ ତୁରନ୍ତ ପହଞ୍ôଚ ଯାଇଥିଲା । ଦୁଇ ଯୁବକଙ୍କୁ ଆଣି ଥାନାରେ ଅଟକ ରଖିଥିଲା । ଜେରା କରିବା ପରେ ଜେରା ପରେ ଅଭିଯୁକ୍ତ ଦ୍ୱୟ କୁଖ୍ୟାତ ଅପରାଧୀ ବୋଲି ପୁଲିସ ଜାଣି ପାରିଥିଲା । ଏହି ଗ୍ୟାଙ୍ଗ୍ ବିଭିନ୍ନ ଜିଲ୍ଲା ବୁଲି ଡକାୟତି, ଲୁଟପାଟ କରୁଥିଲେ । ଗ୍ୟାଙ୍ଗ ଲିଡର ସୁରେଶ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ତା ବିରୋଧରେ ବିଭିନ୍ନ ଥାନାରେ ୩୧ଟି ରହିଥିବାବେଳେ ଗତ ୨୦୧୦ମସିହାରେ ଏକ ଡକାୟତି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିଲା । ଜାମିନରେ ଆସିବା ପରେ ପୁଣି ଲୁଟ୍ପାଟ୍ ଆରମ୍ଭ କରିଥିବା ଜଣାପଡ଼ିଛି । ସେହିପରି ଅଭିଯୁକ୍ତ ଅଜିତ ବିରୋଧରେ ୭ଟି ମାମଲା ରହିଥିବା କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି ।